ରାଜସ୍ୱ ବିଭାଗର ପ୍ରମୁଖ ଶାସନ ସଚିବଙ୍କ କୋରାପୁଟ ଗସ୍ତ, ଶିକ୍ଷା, ସ୍ୱାସ୍ଥ୍ୟ ଓ କୋଟିଆ ପ୍ରସଙ୍ଗରେ ସମୀକ୍ଷା 

କୋରାପୁଟ,ଏନ୍ଏନ୍ଏସ୍: ରାଜସ୍ୱ, ସୂଚନା ଏବଂ ଲୋକ ସଂପର୍କ ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ କୋରାପୁଟ ଜିଲ୍ଲା ଗସ୍ତ କରିଛନ୍ତି। କୋରାପୁଟ ଗସ୍ତରେ ଆସି ଜିଲ୍ଲାର ଶିକ୍ଷା, ସ୍ୱାସ୍ଥ୍ୟ ଓ ପୋଷଣ, କୃଷି, ଜଳ ଉତ୍ସ, ଦକ୍ଷତା ବିକାଶ ଓ ମୌଳିକ ଭିତ୍ତିଭୂମୀ ଉପରେ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ସହ ସମୀକ୍ଷା କରିଛନ୍ତି। ସ୍ଥାନୀୟ ସଦଭାବନା ସଭାଗୃହରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ଆକାଂକ୍ଷା ଜିଲ୍ଲା ପ୍ରୋଗ୍ରାମ ଅଧୀନରେ ୨୦୧୮ ଅପ୍ରେଲରୁ ୨୦୨୧ ଜୁଲାଇ ମଧ୍ୟରେ କାର୍ଯ୍ୟ ଦକ୍ଷତା ଉପରେ ଆଲୋଚନା ହୋଇଥିଲା।

ତୁଳନାତ୍ମକ ଅଭିବୃଦ୍ଧିକୁ ଦେଖିଲେ ୨୦୧୮ ଅପ୍ରେଲରେ କୋରାପୁଟ ଜିଲ୍ଲା ୩୮.୩ ଥିବା ବେଳେ ଜୁଲାଇ ୨୦୨୧ରେ ୪୯.୭ ରହିଛି। କୃଷି କ୍ଷେତ୍ରରେ ମାଇକ୍ରୋ ଜଳସେଚନ, ପ୍ରାଣୀଧନ ଟୀକାକରଣ, ମୃତିକା ସ୍ୱାସ୍ଥ୍ୟ ପତ୍ର, ଦୁଗ୍ଧ ଶୀତଳୀକରଣ, ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ଜିଲ୍ଲାରେ ତୁଳନାତ୍ମକ ଅଭିବୃଦ୍ଧି ଘଟିଥିବା ଜଣାପଡିଛି। ମୌଳିକ ଭିତିଭୂମୀ ଉପରେ ପ୍ରତି ଗ୍ରାମ ପଞ୍ଚାୟତରେ ଇଣ୍ଟରନେଟ ସୁବିଧା, ପ୍ରଧାନମନ୍ତ୍ରୀ ଗାମ ସଡକ ଯୋଜନାରେ ରାସ୍ତା ଗତିବିଧି ଉପରେ ସମୀକ୍ଷା କରାଯାଇଥିଲା। ସେହିପରି ବିବାଦୀୟ କୋଟିଆ ପ୍ରସଙ୍ଗରେ ମଧ୍ୟ ସମୀକ୍ଷା କରାଯାଇଥିଲା। କୋଟିଆରେ ୨ଟି ସେମି ହାଇ ମାସ୍କ ଲାଇଟ ଲାଗିଥିବା ବେଳେ ଗୋଟିଏ ହାଇ ମାସ୍କ ଲାଇଟ କୋଟିଆ ପାଇଁ ଆବଶ୍ୟକ ଥିବା କୁହାଯାଇଥିଲା। ଉକ୍ତ ଅଞ୍ଚଳରେ ଥ୍ରୀ ଫେଜ ବିଦ୍ୟୁତ କରଣ ଆବଶ୍ୟକ ବୋଲି ପ୍ରଶାସନ ତରଫରୁ ଆଲୋଚନା କରାଯାଇଥିଲା। କୋଟିଆରେ ବିଏସଏନଲ ମୋବାଇଲ ଟାଓାର ଥିବା ବେଳେ ଯଥା ଶୀଘ୍ର ସେଠାରେ ଇଣ୍ଟରନେଟର ସୁବିଧା କରାଯିବ ଏବଂ ପୁଲିସ ଷ୍ଟେସନ ନିର୍ମାଣ   ସମାପ୍ତ ହୋଇଥିବା କୁହାଯାଇଥିଲା। ତତ ସହିତ ପ୍ରଶାସନିକ ଅଧିକାରୀ ମାନେ ପ୍ରତିଦିନ କୋଟିଆ ଗ୍ରସ୍ତ କରି ଉକ୍ତ ଅଞ୍ଚଳର ବିକାଶ ଦିଗରେ ସ୍ୱତନ୍ତ୍ର ଧ୍ୟାନ ଦେଉଥିବା ପ୍ରଶାସନ ତରଫରୁ କୁହାଯାଇଛି।

ଶ୍ରୀ ସେଠୀ କହିଛନ୍ତି ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ କୋରାପୁଟ ଜିଲ୍ଲା ବହୁତ ଭଲ ପ୍ରଦର୍ଶନ କରିଆସୁଛି। ରାଜସ୍ୱ ବିଭାଗର ବିଭିନ୍ନ ଯୋଜନା ସମ୍ପର୍କରେ ମଧ୍ୟ ସମୀକ୍ଷା କରାଯାଇଥିଲା। ରାଜ୍ୟ ସରକାରଙ୍କ ନିଷ୍ପତି ଅନୁସାରେ ପ୍ରତି ପଡା ଗ୍ରାମକୁ ରାଜସ୍ୱ ଗ୍ରାମର ମାନ୍ୟତା ଦିଆଯିବ। ଏହାସହ କୋଟିଆର ପଞ୍ଚାୟତ ଗୃହରେ ସ୍ଥାନୀୟ ଲୋକଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି। କୋଟିଆର ମୂଳ ଆଦିବାସୀଙ୍କୁ ସରକାରଙ୍କ ଦ୍ଵାରା ପ୍ରଦତ୍ତ ବିଭିନ୍ନ ସରକାରୀ ସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ। ଏହାସହ ଫଗୁଣ ସିନେରି, ଫାଟୁ ସିନେରି ଯିବା ବାଟରେ ଜାନିଗୁଡା, ମାଡକାରରେ ରହୁଥିବା ଆଦିବାସୀଙ୍କ ସହ ଆଲୋଚନା କରିଛନ୍ତି। ସମୀକ୍ଷା ବୈଠକରେ କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ଦେବେନ କୁମାର ପ୍ରଧାନ, ଡିଏଫଓ ରିଙ୍କୁ କୁମାରୀ, କୋରାପୁଟ ଉପ ଜିଲ୍ଲାପାଳ ଲଳିତ କୁମାର କଅଁର, ଜୟପୁର ଉପ ଜିଲ୍ଲାପାଳ ହେମକାନ୍ତ ସଏ, ପିଡି ଡିଆରଡିଏ ପ୍ରବୀର କୁମାର ନାୟକ ସମେତ ଜିଲ୍ଲା ଯୋଜନା ଓ଼ ପର୍ଯ୍ୟବେକ୍ଷଣ ଉପ ନିର୍ଦ୍ଦେଶକ ସୂର୍ଯ୍ୟକାନ୍ତ ବେହେରା, ଜିଲ୍ଲା ସୂଚନା ଓ଼ ଲୋକ ସମ୍ପର୍କ ଅଧିକାରୀ ଜଗନ୍ନାଥ ପ୍ରସାଦ ରାୟଗୁରୁଙ୍କ ସମେତ ଜିଲ୍ଲା ସ୍ତରୀୟ ସମସ୍ତ ଅଧିକାରୀମାନେ ଉପସ୍ଥିତ ଥିଲେ।