ନୂଆଦିଲ୍ଲୀ: ରାଜସ୍ଥାନରେ କଂଗ୍ରେସ ମଧ୍ୟରେ ଚାଲିଥିବା କନ୍ଦୋଳର ପୂର୍ଣ୍ଣଛେଦ ପଡ଼ିଛି। ରାଜ୍ୟର ପ୍ରାକ୍ତନ ଉପମୁଖ୍ୟମନ୍ତ୍ରୀ ସଚ୍ଚିନ ପାଇଲଟ ସୋମବାର ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କୁ ଭେଟିବା ପରେ ସମସ୍ତ ରାଗରୁଷାକୁ ଭୁଲି ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏଭଳି ସ୍ଥିତିରେ ଆଜି ରାଜ୍ୟ ବିଧାନସଭାରେ ସ୍ୱତନ୍ତ୍ର ଅଧିବେସନ ଆରମ୍ଭ ହେବାକୁ ଥିବାବେଳେ ଗେହଲଟ ସରକାରଙ୍କୁ ଅନେକ ବିଲ୍ ପାରିତ କରିବାକୁ ପଡ଼ିବ। ଅନ୍ୟପଟେ ଦଳକୁ ଶକ୍ତି ପରିକ୍ଷା ମଧ୍ୟ ଦେବାକୁ ପଡ଼ିବ। କାରଣ ବିଜେପି ଗେହଲଟ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ନେଇ ଘୋଷଣା କରିଛି। ଏମିତିରେ ଉଭୟ ପାର୍ଟି ପୁଣି ମୁହାଁମୁହିଁ ହୋଇପାରନ୍ତି।
ସୂଚନାଯୋଗ୍ୟ, ରାଜସ୍ଥାନ ବିଧାନସଭାରେ ମୋଟ ୨୦୦ ଆସନ ଥିବାବେଳେ ବହୁମତ ପାଇଁ ୧୦୧ର ସଂଖ୍ୟା ଦେଖାଇବାକୁ ପଡ଼ିବ। ଗତ କିଛିଦିନ ହେବ କଂଗ୍ରେସରେ ସୃଷ୍ଟି ହୋଇଥିବା ମତଭେଦ ଯୋଗୁ ଏହି ସଂଖ୍ୟା ଦେଖାଇବାକୁ ନେଇ ସମସ୍ୟା ଉପୁଜିଥିଲା। ଅନ୍ୟପଟେ ଦେଖିବାକୁ ଗଲେ କଂଗ୍ରେସ ପାଖରେ ନିଜର ୧୦୭ ବିଧାୟକଙ୍କ ସହ ମୋଟ ୧୨୫ ଜଣଙ୍କର ସମର୍ଥନ ଥିବାବେଳେ ବିଜେପି ପାଖରେ ୭୫ ବିଧାୟକଙ୍କର ସମର୍ଥନ ରହିଛି।