ସୋସିଆଲ ମିଡିଆରୁ ମିଳିଲା ସନ୍ଧାନ, ହଜିଲା ବାପାଙ୍କୁ ଫେରି ପାଇଲେ ପୁଅ

ଫୁଲବାଣୀ,ରାଇକିଆ,ଏନ୍ଏନ୍ଏସ୍: ସୋସିଆଲ ମିଡିଆ ଯୋଗୁଁ ହଜିଲା ବାପାଙ୍କୁ ୬ ମାସ ପରେ ଖୋଜି ପାଇଲେ ପୁଅ। ଏପରି ଘଟଣା ରାଇକିଆରେ  ଦେଖିବାକୁ ମିଳିଛି। କିଛିମାସ ତଳେ ଜଣେ ମସ୍ତିକ ବିକୃତ ବ୍ୟକ୍ତି ବ୍ୟବହୃତ ପିପିଇ କିଟ୍ ପିନ୍ଧି ବୁଲୁଥିବାବେଳେ ଲୋକଲୋଚନକୁ ଆସିଥିଲେ। ଏହାପରେ କିଛି ସମାଜସେବୀ ତାଙ୍କୁ ନିଜ ହେପାଜତରେ ରଖିଥିଲେ। ଆଜି ତାଙ୍କୁ ତାଙ୍କ ପରିବାରର ଠିକଣା ମିଳିଛି। ଆଉ ଦୀର୍ଘଦିନ ପରେ ବାପା-ପୁଅ ମଧ୍ୟରେ ମିଳନ ହୋଇଛି। ବାପ-ପୁଅ ଭେଟ ହେବାପରେ ଦୀର୍ଘ ସମୟ ଧରି କେବଳ କାନ୍ଦିଥିଲେ।
ପ୍ରକାଶ ଯେ, ଗତ ଜୁଲାଇ ୨୬ ତାରିଖରେ ରାଇକିଆ ଅଞ୍ଚଳରେ ପିପିଇ କିଟ୍ ପିନ୍ଧି ଜଣେ ବୃଦ୍ଧ ବ୍ୟକ୍ତି ବୁଲୁଥିବାବେଳେ ପ୍ରଶାସନ ପାଇଁ ଚିନ୍ତାର କାରଣ ହୋଇଥିଲା।  ଖବରପାଇ ରାଇକିଆ ଅଞ୍ଚଳର ସାହାରା ସଂଗଠନର ସମ୍ପାଦକ ସୁକାନ୍ତ ନାୟକ, ରାଇକିଆ ପଞ୍ଚାୟତର ବିଜେଡ଼ି ସଭାପତି ମିଟୁ ପଣ୍ଡା, ଯୁବ ସ୍ୱେଚ୍ଛାସେବୀ ରୋସନ ନାୟକ, ବ୍ୟବସାୟୀ ଜଗନ୍ନାଧ ସାହୁ ଓ ଅନ୍ୟମାନେ ତାଙ୍କ ଦେହରୁ ପିପିଇ କିଟ୍ ବାହାର କରିବା ସହିତ ତାହାକୁ ନଷ୍ଟ କରିଥିଲେ। ପରେ ସେମାନେ ବୃଦ୍ଧଙ୍କୁ ନିଜ ହେପାଜତରେ ରଖିଥିଲେ। କିଛିଦିନ ପରେ ତାଙ୍କର ସାମନ୍ୟ ସୁଧାର ଆସିବାପରେ ତାଙ୍କ ନାମ ତ୍ରିନାଥ ପାତ୍ର ବୋଲି କହିଥିଲେ। ଏହାପରେ ସ୍ୱେଚ୍ଛାସେବୀମାନେ ଉକ୍ତ ବ୍ୟକ୍ତିଙ୍କ ଫଟୋ ସହିତ ନାମକୁ ବିଭିନ୍ନ ସୋସିଆଲ୍ ମିଡ଼ିଆରେ ଭାଇରାଲ କରିଥିଲେ। ଏହି ଖବର ତ୍ରିନାଥ ପାତ୍ରଙ୍କ ପୁଅ ସୁମନ ପାତ୍ରଙ୍କ ନିକଟରେ ପହଞ୍ଚିବାପରେ ଉକ୍ତ ଫୋଟକୁ ପୋଷ୍ଟ କରିଥିବା ମିଟୁ ପଣ୍ଡା ଓ ରୋସନ ନାୟକଙ୍କ ସହିତ ଯୋଗଯୋଗ କରିଥିଲେ। ଏହି କ୍ରମରେ  ଆଜି ସେ ବାପାକୁ ନେବାପାଇଁ ରାଇକିଆରେ ପହଞ୍ଚିଥିଲେ।