ଜୁଆ ଆଡ୍ଡାରେ ଚଢ଼ଉ :୧୦ ଗିରଫ

କୋଟପାଡ଼,ଏନ୍ଏନ୍ଏସ୍: ଓଡ଼ିଶା-ଛତିଶଗଡ଼ ସୀମା କୋଟପାଡ଼ ଥାନା ଚାନ୍ଦିଲି ଫାଣ୍ଡି ଅଧୀନ ମଲଚାମାଲ୍ ଗ୍ରାମରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ କୋଟପାଡ଼ ପୁଲିସ୍ ଚଢ଼ଉ କରି ୧୦ଜଣ ଜୁଆଡ଼ିଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କଠାରୁ ୭୧୩୦୦ ଟଙ୍କା, ୧୦ଟି ମୋଟରସାଇକଲ ଓ ୧୦ଟି ଦାମୀ ମୋବାଇଲ୍ ଫୋନ୍ ଜବତ କରିଥିବା ଜଣାପଡ଼ିଛି। ସମ୍ପୃକ୍ତ ସମସ୍ତ ଜୁଆଡ଼ି ଛତିଶଗଡ଼ର ବସ୍ତର ଜିଲ୍ଲାର ଜଗଦଲପୁର ଓ ନଗରନାର ଅଞ୍ଚଳର ହୋଇଥିବା ଜଣାପଡ଼ିଛି। କୋଟପାଡ଼ ଥାନା ଚାନ୍ଦିଲି ଫାଣ୍ଡି ଅଧୀନ ମଲଚାମାଲ୍ ଗ୍ରାମରେ ବଡ଼ ଧରଣର ଜୁଆ ଆଡ୍ଡା ଚାଲିଥିବା ସୂଚନା କୋଟପାଡ଼ ପୁଲିସକୁ ମିଳିଥିଲା। ବୋରିଗୁମ୍ମା ଏସଡିପିଓ ହରେକୃଷ୍ନ ମାଝୀ ଓ କୋଟପାଡ଼ ଥାନାଧିକାରୀ ଉଲ୍ଲାସୀ ମାଝୀଙ୍କ ନେତୃତ୍ୱରେ ଗଠିତ ସ୍ୱତନ୍ତ୍ର ଟିମ୍ ସୋମବାର ରାତି ପ୍ରାୟ ୮ଟା ସମୟରେ ଜୁଆ ଆଡ୍ଡା ଉପରେ ଚଢ଼ଉ କରି ୧୦ଜଣ ଜୁଆଡ଼ିଙ୍କୁ ଗିରଫ କରିଥିଲେ। ଗିରଫ ଜୁଆଡ଼ିଙ୍କ ମଧ୍ୟରେ ଛତିଶଗଡ଼ ବସ୍ତର ଜିଲ୍ଲା ନଗରନାର୍ ଥାନା କସ୍ତୁରୀ ଗ୍ରାମର ପ୍ରଦୀପ କୁମାର କେଚିଆ(୩୨), କିଶୋର୍ ବେଂଜାମୀନ୍(୩୯), ଜଗଦଲପୁର ଗିତମ୍ ରୋଡର ତ୍ରିନାଥ ଦୁବେ(୩୮), ନୟାପାରାର କାମଲେଶ ପାତ୍ରା(୪୫), ବଡ଼ଘାଟ୍ ଥାନା ବଡ଼ଘାଟପାରା ଅଞ୍ଚଳର ଭି.ଆକାଶ(୨୮), କୁମାରପାରାର ପ୍ରକାଶ ନାଗ(୪୦), କଟୁବାଲି ଥାନା ଦନ୍ତେଶ୍ୱରୀ ୱାର୍ଡର ରାଜେଶ ଠାକୁର(୩୨), ମାହାରାଣୀ ୱାର୍ଡର ମଣ୍ଟି ନାଗ(୩୫), ନୟାପାରାର ବିମଲେଶ ପାତ୍ରା(୪୭) ଓ ପାରପା ଥାନା ବାଲିକାଣ୍ଟାର ପ୍ରେମ୍ ଶଙ୍କର ଯୋଶୀ(୩୫) ପ୍ରମୁଖ ରହିଛନ୍ତି। ଚଢ଼ଉରେ କୋଟପାଡ଼ ଥାନାର ଏଏସଆଇ ନିରୋଦ କୁମାର ବାଘ, ଚାନ୍ଦିଲି ଫାଣ୍ଡି ଅଧିକାରୀ ସୁନୀଲ ସ୍ୱାଇଁ ଓ ବିସଂହପୁର ଥାନା ସବଇନ୍ସପେକ୍ଟର ଡି.ବିହାରୀ ପ୍ରମୁଖ ସାମିଲ ହୋଇଥିଲେ।