ଚୀନ୍ ପ୍ରସଙ୍ଗରେ ମୋଦୀଙ୍କୁ ରାହୁଲଙ୍କ ଟାର୍ଗେଟ

ନୂଆଦିଲ୍ଲୀ,ଏଜେନ୍ସି: ଜୁନ୍ ୧୫ରେ ଲଦାଖର  ଗଲୱାନ ଘାଟିରେ ଭାରତୀୟ ଏବଂ ଚୀନ୍ ଯବାନଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ ୨୦ ଭାରତୀୟ ଯବାନ ସହିଦ୍ ହେବା ଘଟଣାକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମୋଦୀ ସରକାରଙ୍କ ଉପରେ ଆକ୍ରମଣ ଜାରି ରଖିଛନ୍ତି। ଗଲୱାନ ଘାଟିରେ ଚୀନ୍-ଭାରତ ମଧ୍ୟରେ ସଂଘର୍ଷ ପରଠାରୁ କଂଗ୍ରେସ ପୂର୍ବତନ ସଭାପତି ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କେନ୍ଦ୍ରକୁ ସମାଲୋଚନା କରିବା ଜାରି ରଖିଛି।

କିଛି ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ, ଏକ ଇଞ୍ଚ ଭାରତୀୟ ଜମି କୌଣସି ପଡ଼ୋଶୀ ଦେଶ ଦଖଲ କରିନାହାନ୍ତି ଏବଂ କୌଣସି ପଡୋଶୀ ସେନା ଭାରତୀୟ ସୀମାରେ ଅନୁପ୍ରବେଶ କରିନାହାନ୍ତି। ହେଲେ ଲଦାଖବାସୀ ଏବଂ ରିଟାୟାର୍ଡ ଆର୍ମି ଜେନେରାଲ୍ ବର୍ତ୍ତମାନ ସାଟେଲାଇଟ୍ ମାନଚିତ୍ର ଦେଖାଇ କହୁଛନ୍ତି ଯେ, ଚୀନ୍ ଭାରତର ତିନୋଟି ଅଞ୍ଚଳକୁ କବ୍ଜା କରିଛି।  ଏନେଇ ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ମୋଦୀଙ୍କୁ କଟାକ୍ଷ କରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମହୋଦୟ, ଆପଣ ସତ କହିବା ଦରକାର।