ସଦସ୍ୟତା ରଦ୍ଦ ହେବା ପରେ ବିଜେପି ଉପରେ ବର୍ଷିଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ସଂସଦ ସଦସ୍ୟତା ରଦ୍ଦ ହେବା ପରେ ଆଜି ପ୍ରଥମଥର ପାଇଁ ମିଡିଆ ପ୍ରଶ୍ନର ଜବାବ ଦେଇଛନ୍ତି । ଏହି ଅବସରରେ ରାହୁଲ ଗାନ୍ଧୀ ବିଜେପି ଖାସ୍ କରି ମୋଦୀଙ୍କୁ ଜବରଦସ୍ତ ଟାର୍ଗେଟ କରିଛନ୍ତି । ରାହୁଲ ଗାନ୍ଧୀ କହିଛନ୍ତି ଯେ, ଯଦି ମୋଦୀଙ୍କୁ ଲାଗିଛି ମୋତେ ଡରାଇ, ଜେଲରେ ପୁରାଇ, ମାରପିଟ କରି ଓ ସଦସ୍ୟତା ରଦ୍ଦ କରାଇ ମୋ ମୁହଁ ବନ୍ଦ କରିଦେବେ ତେବେ ତାହା ତାଙ୍କ ଭ୍ରାନ୍ତ ଧାରଣା । ମୋତେ ଏସବୁଥିରୁ କୌଣସି ଫରକ ପଡ଼ିବନି । ପ୍ରଧାନମନ୍ତ୍ରୀ ଡରି ଯାଇଛନ୍ତି । ସେ ବିରୋଧୀଙ୍କୁ ସବୁଠୁୂ ବଡ଼ ଅସ୍ତ୍ର ଦେଇ ସାରିଛନ୍ତି । ମୋ ନାମ ସାବରକର ନୁହେଁ । ମୁଁ ଗାନ୍ଧୀ, ଆଉ ଗାନ୍ଧୀ କେବେ କ୍ଷମା ମାଗନ୍ତିନି ।

ରାହୁଲ ଗାନ୍ଧୀ ଆହୁରି କହିଛନ୍ତି ଯେ, ମୁଁ ଦେଶ ବିରୁଦ୍ଧରେ କେବେ କିଛି କହିନାହିଁ । ଭାରତ ଯୋଡ଼ୋ ଯାତ୍ରା ସମୟର ମୋ ଭାଷଣ ଦେଖନ୍ତୁ, ସବୁ ସମାଜ ଏକ ବୋଲି ମୁଁ ସବୁବେଳେ କହିଛି । ଘୃଣା, ହିଂସାରେ ବଦଳିବା ଠିକ୍ ନୁହେଁ । ବିଜେପି ସର୍ବଦା ଧ୍ୟାନ ହଟାଇବା ଭଳି କାମ କରିଥାଏ । ସମସ୍ତଙ୍କୁ ଭ୍ରମରେ ପକାଇବା ପାଇଁ କେତେବେଳେ ଓବିସି ତ ଆଉ କେତେବେଳେ ବିଦେଶୀ କଥା କହୁଛି । ମୁଁ ଏମାନଙ୍କୁ ଡରୁ ନାହିଁ । ମୁଁ ଭାରତର ଲୋକତନ୍ତ୍ର ପାଇଁ ଲଢ଼ୁଛି ।