ରାହୁଲଙ୍କୁ ସଭାପତି କରିବା ପାଇଁ ଦିଲ୍ଲୀ କଂଗ୍ରେସର ପ୍ରସ୍ତାବ ଗୃହୀତ

ନୂଆଦିଲ୍ଲୀ,ଏଜେନ୍ସି: ରାହୁଲ ଗାନ୍ଧିଙ୍କୁ କଂଗ୍ରେସର ସଭାପତି କରାଯିବା ପାଇଁ ରବିବାର ଦିଲ୍ଳୀ ଦଳୀୟ ଶାଖା ପକ୍ଷରୁ ଏକ ପ୍ରସ୍ତାବ ଗୃହୀତ ହୋଇଛି। ଜୁନ୍ ମାସରେ ଦଳର ନୂଆ ମୁଖ୍ୟ ନିର୍ବାଚିତ କରାଯିବାକୁ ଦଳୀୟ ସଂଗଠନ ପକ୍ଷରୁ ଘୋଷଣା ହେବା ପରେ ପରେ ଦିଲ୍ଲୀ କଂଗ୍ରେସ ଶାଖା ଏଭଳି ପ୍ରସ୍ତାବ ଗ୍ରହଣ କରିଛି। ଦିଲ୍ଲୀ ଶାଖା ମୁଖ୍ୟ ଅନିଲ କୁମାର କହିଛନ୍ତି, କଂଗ୍ରେସ ଦଳ ରାହୁଲ ଗାନ୍ଧିଙ୍କ ଭଳି ଜଣେ ବିଚକ୍ଷଣ ତଥା ଶକ୍ତିଶାଳୀ ନେତା ଆବଶ୍ୟକ କରୁଛି। ଉଲ୍ଲେଖଯୋଗ୍ୟ ୨୦୧୯ ଲୋକସଭା ନିର୍ବାଚନରେ କଂଗ୍ରେସର ଲଜ୍ଜାଜନକ ପରାଜୟ ପରେ ଦଳର ସଭାପତି ପଦରୁ ଗାନ୍ଧି ଇସ୍ତଫା ଦେଇଥିଲେ। ଦିଲ୍ଲୀ କଂଗ୍ରେସ ଶାଖା ପକ୍ଷରୁ ଆଉ ୨ଟି ପ୍ରସ୍ତାବ ମଧ୍ୟ ଗ୍ରହଣ କରାଯାଇଛି। ଗଣତନ୍ତ୍ର ଦିବସରେ କୃଷକଙ୍କ ଟ୍ରାକ୍ଟର ରାଲିରେ ଘଟିଥିବା ହିଂସାକାଣ୍ଡ ନେଇ ଦିଲ୍ଲୀ କଂଗ୍ରେସ ପକ୍ଷରୁ ଉଦ୍ବେଗ ପ୍ରକାଶ କରାଯିବା ସହ ଆଇନଶୃଙ୍ଖଳା ରକ୍ଷାରେ ବିଫଳତା ପାଇଁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଇସ୍ତଫା ଦାବି କରି ଦିଲ୍ଲୀ କଂଗ୍ରେସ ପକ୍ଷରୁ ପ୍ରସ୍ତାବ ଗୃହୀତ ହୋଇଛି।