ସର୍ଜରୀ ପରେ ନକଲି ପ୍ରମାଣପତ୍ରରେ କୁଏତ ଯାଉଥିଲେ ଦାଗି ଶ୍ରମିକ

ହଇଦ୍ରାବାଦ,ଏଜେନ୍ସି: କୁଏତ ବିମାନ ବନ୍ଦରରେ ଫିଙ୍ଗର ପ୍ରିଣ୍ଟ ସ୍କାନରରେ ଧରା ନପଡିବା ପାଇଁ ଦାଗି ଶ୍ରମିକଙ୍କ ଆଙ୍ଗୁଠିରେ ଅସ୍ତ୍ରୋପଚାର କରି ଫିଙ୍ଗର ପ୍ରିଣ୍ଟ ବଦଳାଉଥିବା ଏକ ଗ୍ୟାଙ୍ଗକୁ ଠାବ କରିବାରେ ସଫଳ ହୋଇଛି ପୋଲିସ । ଏହି ସର୍ଜରୀ କରୁଥିବା ୪ ଅଭିଯୁକ୍ତଙ୍କୁ ମଧ୍ୟ ପୋଲିସ ଗିରଫ କରିଛି । ସେମାନଙ୍କ ଠାରୁ ଅପରେସନରେ ବ୍ୟବହାର ହେଉଉଥିବା ଏକାଧିକ ସରଞ୍ଜାମ ମଧ୍ୟ ଜବତ କରାଯାଇଥିବା ହାଇଦ୍ରାବାଦର ରଚାକୋଣ୍ଡା ପୋଲିସ ସୂଚନା ଦେଇଛି ।

ପୋଲିସର ସୂଚନାନୁସାରେ, ଗିରଫ ଅଭିଯୁକ୍ତମାନେ ହେଉଛନ୍ତି ନାଗା ମୁନେଶ୍ୱର ରେଡ୍ଡୀ (୩୬), ଭେଙ୍କଟ ରାମଣା (୩୯) ଅନ୍ୟ ଦୁଇ ଅଭିଯୁକ୍ତ ହେଉଛନ୍ତି ଶିବ ଶଙ୍କର ରେଡ୍ଡୀ (୨୫) ଏବଂ ରାମକୃଷ୍ଣ ରେଡ୍ଡୀ (୩୮) । ଏମାନେ ସମସ୍ତେ ଆନ୍ଧ୍ର ପ୍ରଦେଶ ଓ୍ବାଇଏସ୍‌ଆର୍‌ କାଡପା ଜିଲ୍ଲାର ଜିଲ୍ଲାର ବାସିନ୍ଦା । ଗତ କିଛି ଦିନ ଧରି ସେମାନେ ଏହି ସର୍ଜରୀ ପ୍ରକ୍ରିୟା ଜାରି ରଖିଥିଲେ । ଥରେ ଭିସା ଅବଧି ଶେଷ ହେବା ପରେ ପୁଣି ଥରେ କୁଏତ ଯାଉଥିବା ବ୍ୟକ୍ତିଙ୍କ ଆଙ୍ଗୁଠିର ଛାପକୁ ଅପରେସନ ମାଧ୍ୟମରେ ଏମାନେ ପରିବର୍ତ୍ତନ କରୁଥିଲେ । ଫଳରେ ତାଙ୍କୁ ପୁଣି ଥରେ ଅନ୍ୟ ଏକ ଡକ୍ୟୁମେଣ୍ଟ ଜରିଆରେ କୁଏତ ଯିବା ସମ୍ଭବପର ହୋଇପାରୁଥିଲା ।

ଭିସା ଅବଧି ଶେଷ ହେବା ହେତୁ କିମ୍ବା ଭିସା ସର୍ତ୍ତ ଉଲ୍ଲଂଘନ ହେତୁ କିଛି ଶ୍ରମିକଙ୍କୁ କୁଏତ ସରକାର ବିତାଡିତ କରିଛନ୍ତି । ଅଭିଯୁକ୍ତମାନେ ଏପରି ଉପାୟରେ ଆଙ୍ଗୁଠି ସର୍ଜରୀ କରି ସେମାନଙ୍କ ଛାପ (ଫିଙ୍ଗର ପ୍ରିଣ୍ଟ) ପରିବର୍ତ୍ତନ କରୁଥିଲେ । ପରେ ଏପରି କରିବା ଦ୍ବାରା ସେମାନଙ୍କୁ ଏକ ନୂତନ ଠିକଣା ଏବଂ ପରିଚୟ ମାଧ୍ୟମରେ ପୁନର୍ବାର କୁଏତ ଯିବାକୁ ଭିସା ମିଳିବା ସମ୍ଭବପର ହୋଇ ପାରୁଥିଲା । ଏପରି ଘଟଣା ନେଇ କୌଣସି ସୂତ୍ରରୁ ସୂଚନା ମିଳିବା ପରେ ପୋଲିସ ଏହି ଗ୍ୟାଙ୍ଗକୁ ଧରିବା ପାଇଁ ମିଶନ ଆରମ୍ଭ କରିଥିଲା । ଶେଷରେ ଏହି ଗ୍ୟାଙ୍ଗକୁ ଠାବ କରିବା ସହ ୪ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳତା ମିଳିଥିବା ରଚାକୋଣ୍ଡା ପୋଲିସ କମିଶନର ମହେଶ ଏମ.ଭାଗବତ କହିଛନ୍ତି ।

ସମସ୍ତ ଅଭିଯୁକ୍ତଙ୍କୁ ଜେରା ଜାରି ରହିଛି । ଏହି ନେଟଓ୍ବାର୍କ କେବେ ଠାରୁ କାର୍ଯ୍ୟକ୍ଷମ ହୋଇଛି ଓ କେତେ ବ୍ୟକ୍ତି ଏପରି କରି ନକଲି ପ୍ରମାଣପତ୍ରରେ କୁଏତ ଯିବା ପାଇଁ ସୁଯୋଗ ପାଇଛନ୍ତି, ତାକୁ ନେଇ ପୋଲିସ ତଦନ୍ତ ଜାରି ରଖିଛି । ଏହି ଅପରେସନରେ ଅଭିଯୁକ୍ତମାନେ ବ୍ୟବହାର କରୁଥିବା ଏକାଧିକ ମେଡିକାଲ ତଥା ସର୍ଜରୀ ସରଞ୍ଜାମକୁ ମଧ୍ୟ ପୋଲିସ ଜବତ କରିଛି ।