ଗୋପୀନାଥପୁରରେ ପାସେଞ୍ଜର ରେଳଷ୍ଟେସନ ଓ ବାଲେଶ୍ୱରକୁ ସ୍ୱତନ୍ତ୍ର ଡିଭିଜନ ଦାବି

  • ନୀଳଗିରି,ଏନଏନଏସ: କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ସାକ୍ଷାତ୍ କରି ବାଲେଶ୍ୱର ବାସୀଙ୍କର ଦୁଇଟି ଦାବି ବିଷୟରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ଦାବିପତ୍ର ପ୍ରଦାନ କରିଛନ୍ତି। ପ୍ରଥମତଃ ବାଲେଶ୍ୱର ଏକ ଗୁରୁତ୍ୱପୂର୍ଣ୍ଣ ରେଳ ଷ୍ଟେସନ୍ ହୋଇଥିବାରୁ ଏହାକୁ ଦକ୍ଷିଣ ପୂର୍ବାଞ୍ଚଳ ଅନ୍ତର୍ଗତ ଖଡ଼ଗପୁର ଡିଭିଜନରେ ରଖିବା ହେତୁ ବହୁସମସ୍ୟା ହେଉଛି। ତେଣୁ ଏହାକୁ ଦକ୍ଷିଣ ପୂର୍ବ ରେଳବାଇରୁ ବାହାର କରି ରୂପସା-ବାଙ୍ଗିରିପୋଷି ସେକ୍ସନକୁ ମିଶାଇ ବାଲେଶ୍ୱରକୁ ପୂର୍ବତଟ ରେଳବାଇ ଅଧୀନରେ ଏକ ସ୍ୱତନ୍ତ୍ର ଡିଭିଜନର ମାନ୍ୟତା ଦିଆଯାଉ। ଦ୍ୱିତୀୟତଃ ଦୀର୍ଘଦିନ ଧରି ନୀଳଗିରି ଡାହାଣିମରା ନିକଟ-ଗୋପିନାଥପୁର ମାଲବୁହା ରେଳ ଷ୍ଟେସନକୁ ଏକ ପାସେଞ୍ଜର୍ ରେଳ ଷ୍ଟେସନରେ ପରିଣତ କଲେ ଅନେକ ଗରିବ, ଆଦିବାସୀ ଲୋକ ଉପକୃତ ହେବେ। ଏଥିସହ ମୟୁରଭଞ୍ଜ ଜିଲ୍ଲା କପ୍ତିପଦା, ଉଦଳାବାସୀ ମଧ୍ୟ ଉପକୃତ ହେବେ।
    ପୁର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟି ଏହି ଦୁଇ ଦାବି ପୂରଣ ପାଇଁ ପତ୍ର ପ୍ରଦାନ କରିଛନ୍ତି। ଏହାକୁ କାର୍ଯ୍ୟକାରୀ କରିବା ପାଇଁ ରେଳମନ୍ତ୍ରୀ ଚେଷ୍ଟା କରିବାର ପ୍ରତିଶ୍ରୁତି ଦେଇଥିବା ସୂଚନା ମିଳିଛି। ନୀଳଗିରିସ୍ଥିତ ଗୋପୀନାଥପୁରଠାରେ ରେଳଷ୍ଟେସନ ହେବା ନେଇ ସୂଚନା ଆସିଥିବା ଜଣାପଡିଛି।