୯୬ ବର୍ଷ ବୟସରେ ରିଟେନର ରାଣୀ ଏଲିଜାବେଥ ଦ୍ବିତୀୟଙ୍କ ପରଲୋକ

ଲଣ୍ଡନ,ଏଜେନ୍ସି: ୭ ଦଶନ୍ଧି ରାଜତ୍ବର ଅନ୍ତ । ଆଉ ନାହାନ୍ତି ବ୍ରିଟେନ ରାଣୀ ଏଲିଜାବେଥ ଦ୍ବିତୀୟ । ସ୍କଟଲାଣ୍ଡର ବାଲମୋରାଲ କ୍ୟାସେଲରେ ୯୬ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ରାଣୀ ଏଲିଜାବେଥ । ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ପାଇଁ ତାଙ୍କର ପରଲୋକ ଘଟିଛି । ଗତବର୍ଷ ଅକ୍ଟୋବରରୁ ସେ ଅସୁସ୍ଥ ଥିଲେ । ଗୁରୁବାର ତାଙ୍କ ସ୍ବାସ୍ଥ୍ୟବସ୍ଥା ଅଧିକ ଖରାପ ହୋଇଥିଲା । ଅଭିଜ୍ଞ ଡାକ୍ତରୀ ଟିମ୍ ଦ୍ୱାରା ତାଙ୍କର ଚିକିତ୍ସା ଜାରି ରହିଥିଲା । ଡାକ୍ତରଙ୍କ ସମସ୍ତ ଚେଷ୍ଟା ସତ୍ତ୍ବେ ତାଙ୍କୁ ବଞ୍ଚାଇବା ସମ୍ଭବ ହୋଇନଥିଲା । ମହାରାଣୀଙ୍କ ମହାପ୍ରୟାଣରେ ଦଶ ଦିନିଆ ରାଷ୍ଟ୍ରୀୟ ଶୋକ ପାଳନ କରାଯିବ । ବ୍ରିଟେନର ଏକ ଯୁଗର ଅବସାନ ହୋଇଛି ।

ରାଣୀ ଏଲିଜାବେଥ ସ୍କଟଲାଣ୍ଡରେ ରହୁଥିଲେ । ଆଜି (ଶୁକ୍ରବାର) ରାଣୀଙ୍କ ମରଶରୀରକୁ ଲଣ୍ଡନ ଅଣାଯିବ । ବ୍ରିଟେନରେ ସର୍ବାଧିକ ସମୟ ପର‌୍ୟ୍ୟନ୍ତ ସେ ଶାସନ ଗାଦିରେ ବସିଥିଲେ । ରାଣୀଙ୍କ ବିୟୋଗ ପରେ ତାଙ୍କ ୭୩ ବର୍ଷୀୟ ବଡପୁଅ ପ୍ରିନ୍ସ ଚାର୍ଲସ ବ୍ରିଟେନର ନୂଆ ରାଜା ହୋଇଛନ୍ତି । ଦୁଇ ଦିନ ତଳେ ବ୍ରିଟେନର ନବନିଯୁକ୍ତ ୧୫ ତମ ପ୍ରଧାନମନ୍ତ୍ରୀ ଲିଜ ଟ୍ରିସଙ୍କୁ ନିଯୁକ୍ତି ଦେଇଥିଲେ ରାଣୀ ଏଲିଜାବେଥ ଯାହାର ଫଟୋ ଓ ଭିଡିଓ ସାମ୍ନାକୁ ଆସିଥିଲା ।

ରାଣୀ ଏଲିଜାବେଥ ଦ୍ବିତୀୟ ୧୯୨୬ ଏପ୍ରିଲ ୨୧ରେ ଲଣ୍ଡନର ବ୍ରୁଟନ ଷ୍ଟ୍ରିଟରେ ଜନ୍ମଗ୍ରହଣ କରିଥିଲେ । ଦ୍ବିତୀୟ ବିଶ୍ବଯୁଦ୍ଧ ଶେଷ ହେବା ପରେ ୧୯୪୭ ନଭେମ୍ବର ୨୦ରେ ନୌସେନା ଅଧିକାରୀ ଫିଲିପ ମାଉଣ୍ଟବ୍ୟାଟେନଙ୍କ ସହିତ ତାଙ୍କର ବିବାହ ହୋଇଥିଲା । ୧୯୪୪ରେ ଫିଲିପଙ୍କ ପ୍ରେମରେ ପଡିଥିଲେ ରାଣୀ । ପ୍ରିନ୍ସ ଚାର୍ଲସଙ୍କୁ ମିଶାଇ ରାଣୀଙ୍କର ୪ ସନ୍ତାନ ପ୍ରିନ୍ସ ଆଣ୍ଡ୍ରୁ (୬୨), ପ୍ରିନ୍ସ ଏଡୱାର୍ଡ (୫୮) ପ୍ରିନ୍ସ ଆନି। ୨୦୨୧ରେ ସ୍ବାମୀ ଫିଲିପ ମାଉଣ୍ଟବ୍ୟାଟେନଙ୍କ ବିୟୋଗ ହୋଇଥିଲା। ୧୯୫୨ ମସିହାରେ ପିତା ଜର୍ଜଙ୍କ ଦେହାନ୍ତ ପରେ ୨୫ ବର୍ଷ ବୟସରେ ରାଜ ସିଂହାସନରେ ବସିଥିଲେ ରାଣୀ ଏଲିଜାବେଥ ।

ଭାରତ ସହ ରାଣୀଙ୍କର ସୁସମ୍ପର୍କ ରହିଥିଲା । ତାଙ୍କ ଜୀବନକାଳ ମଧ୍ୟରେ ସେ ୩ ଥର ଭାରତ ଗସ୍ତରେ ଆସିଥିଲେ। ୧୯୬୧, ୧୯୮୩ ଓ ୧୯୯୭ରେ ଅତିଥି ଭାବେ ଭାରତ ଆସିଥିଲେ । ୧୯୬୧ରେ ଭାରତର ଗଣତନ୍ତ୍ର ଦିବସରେ ଯୋଗ ଦେବାକୁ ପୂର୍ବତନ ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦଙ୍କ ଆମନ୍ତ୍ରଣରେ ଭାରତ ଆସିଥିଲେ । ଦ୍ବିତୀୟ ଥର ପାଇଁ ୧୯୮୩ରେ ରାଣୀ ଭାରତ ଆସିଥିଲେ । ତାଙ୍କ ସହ ତାଙ୍କ ସ୍ବାମୀ ଫିଲିପ ମଧ୍ୟ ଆସିଥିଲେ । ସେ ସମୟରେ ରାଣୀଙ୍କୁ ମଦର ଟେରେସା ସମ୍ମାନରେ ସମ୍ମାନିତ କରାଯାଇଥିଲା । ୧୯୯୭ରେ ତୃତୀୟ ଥର ତଥା ଶେଷ ଥର ପାଇଁ ଭାରତ ଆସିଥିଲେ । ସ୍ବାଧୀନତାର ୫୦ ବର୍ଷ ପୂର୍ତ୍ତୀ ପାଳନ ଅବସରରେ ତାଙ୍କୁ ଆମନ୍ତ୍ରଣ କରାଯାଇଥିଲା । ଏହି ଗସ୍ତ ସମୟରେ ରାଣୀ ପଞ୍ଜାବର ସ୍ବର୍ଣ୍ଣ ମନ୍ଦିର ପରିଦର୍ଶନ କରିଥିଲେ । ତାଜମହଲ ମଧ୍ୟ ବୁଲିଥିଲେ ରାଣୀ।

ରାଣୀଙ୍କ ଦେହାନ୍ତରେ ଲଣ୍ଡନର ବଙ୍କିହାମ ପ୍ୟାଲେସରେ ଗାର୍ଡ ପରିବର୍ତ୍ତନ ପରମ୍ପରାକୁ ବନ୍ଦ କରି ଦିଆଯାଇଛି । ରାଣୀଙ୍କ ବିୟୋଗରେ ସମଗ୍ର ବ୍ରିଟେନରେ ଶୋକର ଛାୟା ଖେଳିଯାଇଛି । ବ୍ରିଟେନ ପ୍ରଧାନମନ୍ତ୍ରୀ ଲିଜ ଟ୍ରସ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ସମେତ ବିଶ୍ବର ବହୁ ନେତା ଶୋକ ପ୍ରକାଶ କରିଛନ୍ତି ।