ପୁରୀ,ଏନ୍ଏନ୍ଏସ୍: ଶ୍ରୀମନ୍ଦିର ଓ ଶ୍ରୀଗୁଣ୍ଡିଚା ମନ୍ଦିରର ସ୍ଥିତି ଅନୁଧ୍ୟାନ କଲେ ସ୍ବତନ୍ତ୍ର ବୈଷୟିକ ଟିମ । ଗୁଣ୍ଡିଚା ମନ୍ଦିରର ଜଗମୋହନ ଓ ନାଟମଣ୍ଡପର କଲମ ଓ ବିମରେ ସମସ୍ୟା ଥିବାରୁ ଏହାର ଅନୁଧ୍ୟାନ କରାଯାଇଛି । ସେପଟେ ଆଜି ଶ୍ରୀମନ୍ଦିର ବେହରଣ ଦ୍ବାର ଓ ମୁଦଲି ଦ୍ବାର ମଝିରେ ତଥା ଜେଟିପି ଚର୍ଚ୍ଚାମାନେ ବସୁଥିବା ସ୍ଥାନରେ ପଥର ଖସିବା ପରେ ଶ୍ରୀମନ୍ଦିର ମରାମତି ନେଇ ତତ୍ପର ହୋଇଉଠିଛି ବୈଷୟିକ ଟିମ । ଶ୍ରୀମନ୍ଦିରର ମରାମତି ନେଇ ୫ ବର୍ଷିଆ ପ୍ଲାନ୍ ପ୍ରସ୍ତୁତ କରାଯାଇଥିବା ସୂଚନା ଦେଲା ଶ୍ରୀମନ୍ଦିର ବୈଷୟିକ କୋର୍ କମିଟି ।
ଗୁଣ୍ଡିଚା ମନ୍ଦିରର ଜଗମୋହନ ଓ ନାଟମଣ୍ଡପର କଲମ ଓ ବିମରେ ସମସ୍ୟା ଥିବାରୁ ଏହାର ଅନୁଧ୍ୟାନ କରାଯାଇଛି । ଶ୍ରୀମନ୍ଦିର ବୈଷୟିକ ଟିମର ବରିଷ୍ଠ ଅଧିକାରୀଙ୍କ ଦ୍ବାରା ଏହି ଅନୁଧ୍ୟାନ କରାଯାଇଛି । ଟିମରେ ବିଶିଷ୍ଟ ବିଶେଷଜ୍ଞ ଏସ.କେ ଭଟ୍ଟାଚାର୍ଯ୍ୟଙ୍କ ସମେତ ଶ୍ରୀମନ୍ଦିର ବୈଷୟ କମିଟି ସଦସ୍ୟ ଏନ.ସି ପାଲ, ବିନ୍ଧେଶ୍ବର ପାତ୍ର, ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ ଜେନା, ପରିଚାଳନା କମିଟି ସେବାୟତ ସଦସ୍ୟଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ରହିଥିଲେ । ଗୁଣ୍ଡିଚା ମନ୍ଦିର ନାଟମଣ୍ଡପରେ ଥିବା ୪ଟି କଲମ ମଧ୍ୟରୁ ୩ଟି କଲମରେ ଫାଟ ସୃଷ୍ଟି ହୋଇଛି । ରଥଯାତ୍ରା ପୂର୍ବରୁ ଏହାର ସାମୟିକ ମରାମତି ହୋଇଥିଲା ।
ରଥଯାତ୍ରା ପରେ ଆଜି ସ୍ବତନ୍ତ୍ର ବୈଷୟିକ ଟିମ ଯାଞ୍ଚ ପରେ ପୂର୍ଣ୍ଣାଙ୍ଗ ମରାମତି ୨ମାସ ଭିତରେ ସାରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ନାଟମଣ୍ଡପ କଲମ, ବିମ ସହ ପିଲାର୍ର ମରାମତି ହେବ । ଏ ନେଇ ବରିଷ୍ଠ ବିଶେଷଜ୍ଞ ଏସ. କେ ଭଟ୍ଟାଚାର୍ଯ୍ୟ ସୂଚନା ଦେଇଛନ୍ତି । ଶ୍ରୀମନ୍ଦିର ନାଟମଣ୍ଡପ ଓ ଗୁଣ୍ଡିଚା ମନ୍ଦିର ନାଟମଣ୍ଡପ ନିର୍ମାଣ ଶୈଳୀ ଭିନ୍ନ ଭିନ୍ନ । ଗୁଣ୍ଡିଚା ମନ୍ଦିର ନାଟମଣ୍ଡପ ଛଡା ଅନ୍ୟ କୌଣସି ସ୍ଥାନରେ ସମସ୍ୟା ନାହିଁ ।