ମା’ଙ୍କୁ ମୁଖାଗ୍ନି ଦେଇ ଜେଲକୁ ଫେରିଲେ ପୁଞ୍ଜିଲାଲ

ବଲାଙ୍ଗୀର,ଏନଏନଏସ: ପୁଞ୍ଜିଲାଲ ମେହେରଙ୍କୁ ଆଜି ପୁଲିସର କଡା ସୁରକ୍ଷା ବଳୟ ଭିତରେ ପାଟଣାଗଡ ନିଆଯାଇଛି । ପୁଞ୍ଜିଲାଲଙ୍କ ସହିତ ତାଙ୍କ ମା’ଙ୍କ ଶବକୁ ମଧ୍ୟ ଶବାଗୃହରେ ରଖାଯାଇଥିବା ଫ୍ରିଜରରୁ କଢାଯାଇ ପାଟଣାଗଡ ନିଆଯାଇଥିଲା । ପୁଞ୍ଜିଲାଲ ଏକମାତ୍ର ପୁତ୍ର ହୋଇଥିବାରୁ ତାଙ୍କ ମା’ଙ୍କୁ ମୁଖାଗ୍ନି ଦେଇଥିଲେ । ପୁଞ୍ଜିଲାଲଙ୍କ ଶବ ପ୍ରାୟ ପାଖାପାଖି ୩୬ ଘଣ୍ଟା ଧରି ଶବାଗୃହରେ ରଖାଯାଇଥିଲା। ଗତକାଲି କୋର୍ଟ ପୁଞ୍ଜିଲାଲଙ୍କୁ ମା’ଙ୍କ ଅନ୍ତ୍ୟେଷ୍ଟିରେ ଯୋଗ ଦେବା ପାଇ ଅନୁମତି ପ୍ରଦାନ କରିଥିଲେ ।

ତେବେ ଗତକାଲି ସଂଧ୍ୟା ହୋଇ ଯାଇଥିବାରୁ ପୁଞ୍ଜିଲାଲ ଜେଲରୁ ବାହାରିନଥିଲେ । ଆଜି ପୁଲିସ ତଥା ପୁଞ୍ଜିଲାଲଙ୍କ ପରିବାର ଲୋକ କୋର୍ଟ ଅର୍ଡର ଆଣି ଜେଲରେ ପହଞ୍ଚିବା ପରେ ରହିଥିବା ବିଭିନ୍ନ ପ୍ରକ୍ରିୟାର ପାଳନ କରାଯିବ ପରେ କଡା ପୁଲିସ ସୁରକ୍ଷା ମଧ୍ୟରେ ପୁଞ୍ଜିଲାଲଙ୍କୁ ଛଡା ଯାଇଥିଲା। କୋର୍ଟ ପୁଞ୍ଜିଲାଲଙ୍କୁ ୨୪ ଘଣ୍ଟାର ମହଲତ ପ୍ରଦାନ କରିଛନ୍ତି । କିନ୍ତୁ ବଲାଙ୍ଗୀର ଜେଲ ର ଜେଲର କହିଛନ୍ତି ଅନ୍ତ୍ୟେଷ୍ଟି କ୍ରୀୟା ସରିଲା ପରେ ତାଙ୍କୁ ଜେଲ ହାଜତକୁ ଅଣାଯିବ ।

ସୂଚନାଯୋଗ୍ୟ ଯେ ୨୦୧୮ ମସିହା ଫେବୃଆରୀ ୨୩ ତାରିଖରେ ପାଟଣାଗଡ ରେ ପାର୍ସଲ ବୋମା ବିସ୍ଫୋରଣ କାଣ୍ଡ ଘଟିଥିଲା । ଏଥିରେ ନବ ବିବାହିତ ସୌମ୍ୟ ରଞ୍ଜନ ସାହୁ ଓ ତାଙ୍କ ଜେଜେମାଙ୍କ ମୃତ୍ୟୁ ହୋଇଥିବା ବେଳେ ସୌମ୍ୟଙ୍କ ପତ୍ନୀ ରୀମା ଗୁରୁତର ଆହତ ହୋଇ ଦୀର୍ଘଦିନ ଧରି ଚିକିତ୍ସିତ ହେଲା ପରେ ସୁସ୍ଥ ହୋଇଥିଲେ । କ୍ରାଇମବ୍ରାଞ୍ଚ ଏହି ଘଟଣାର ତଦନ୍ତ କରି ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କୁ ଗିରଫ କରିଥିଲା । ସେହି ଅପରାଧରେ ପୁଞ୍ଜିଲାଲ ବଲାଙ୍ଗୀର ଜେଲରେ ବିଚରାଧିନ ବନ୍ଦୀ ଭାବରେ ରହିଛନ୍ତି । ତେବେ ତାଙ୍କ ମା’ଙ୍କ ମୃତ୍ୟୁ ଯୋଗୁଁ ଜାମିନ ପ୍ରଦାନ ପାଇଁ ପାଟଣାଗଡ କୋର୍ଟରେ ଗତକାଲି ଆବେଦନ କରିଥିଲେ । ତେବେ କୋର୍ଟ ତାଙ୍କ ଜାମିନକୁ ଖାରଜ କରି ଦେଇଥିଲେ ।

ହେଲେ ମା’ଙ୍କ ଅନ୍ତ୍ୟେଷ୍ଟି କ୍ରୀୟାରେ ଯୋଗ ଦେବା ପାଇଁ କୋର୍ଟ ପୁଞ୍ଜିଲାଲଙ୍କୁ ୨୪ ଘଣ୍ଟାର ମହଲତ ପ୍ରଦାନ କରିଥିଲେ । କଡା ପୁଲିସ ସୁରକ୍ଷା ମଧ୍ୟରେ ଅନ୍ତ୍ୟେଷ୍ଟି କ୍ରୀୟାରେ ଯୋଗ ଦେବା ପରେ ତାଙ୍କୁ ପୁଣି ଜେଲକୁ ଫେରାଇ ଆଣିବା ପାଇଁ କୋର୍ଟ ନିର୍ଦ୍ଧେଶ ଦେଇଥିଲେ । ଆଜି ଜେଲରୁ ବାହାରି ଅନ୍ତ୍ୟେଷ୍ଟି କ୍ରୀୟାରେ ଯୋଗ ଦେବାକୁ ଯାଉଥିବା ବେଳେ ପୁଞ୍ଜିଲାଲ ସମ୍ପୁର୍ଣ୍ଣ ମ୍ରିୟମ୍ରାଣ ହୋଇ ପଡିଥିଲେ । ଦୁନିଆରେ ମତେ ସବୁଠାରୁ ଅଧିକ ଭଲ ପାଉଥିବା ଓ ସ୍ନେହ କରୁଥିବା ମୋ ମା’ମତେ ଛାଡି ଚାଲିଗଲା ବୋଲି କହିଥିଲେ ।