ଆକ୍ସନ ମୁଡ଼ରେ ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ: ସରକାରୀ କର୍ମଚାରୀ ସକାଳ ୯ଟା ସୁଦ୍ଧା ଅଫିସ୍ ପହଞ୍ଚିବାକୁ ନିର୍ଦ୍ଦେଶ

ଚଣ୍ଡୀଗଡ଼,ଏଜେନ୍ସି: ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ଚରଣଜୀତ ସିଂହ ଚନ୍ନୀ ଆକ୍ସନ ମୁଡ଼ ଦେଖାଯାଇଛନ୍ତି। ସେ ନିଜର ପ୍ରଥମ ପଦକ୍ଷେପ ନେଇଛନ୍ତି। ମୁଖ୍ୟମନ୍ତ୍ରୀ ଚନ୍ନୀ ସୋମବାର ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କୁ ଅଫିସ ଟାଇମ ସମୟରେ ଉପସ୍ଥିତି ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କୁ ସକାଳ ୯ଟା ସୁଦ୍ଧା ଅଫିସରେ ପହଞ୍ଚିବାକୁ କହିଛନ୍ତି। ସେହିପରି ସନ୍ଧ୍ୟା ପର୍ଯ୍ୟନ୍ତ, ଯେତେବେଳ ପର୍ଯ୍ୟନ୍ତ ଜନତା କାର୍ଯ୍ୟାଳୟକୁ ଆସୁଛନ୍ତି, ଉପସ୍ଥିତ ରହିବାକୁ ପରାମର୍ଶ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ଚନ୍ନୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ହୋଇଥିବା ଏକ ବୟାନରେ କୁହାଯାଇଛି ଯେ, ଏହି ପଦକ୍ଷେପର ଉଦ୍ଦେଶ୍ୟ, ସରକାରୀ କାର୍ଯ୍ୟାଳୟରେ ଅନୁଶାସନ ଆଣିବାର ଅଛି। ସୂଚନାଯୋଗ୍ୟ ଯେ, ଚରଣଜୀତ ସିଂହ ଚନ୍ନୀଙ୍କୁ ରାଜ୍ୟପାଳ ସୋମବାର ପଞ୍ଜାବର ୧୭ ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରାଇଛନ୍ତି। ସରକାରୀ କାର୍ଯ୍ୟାଳୟରେ ପାରଦର୍ଶିତା ଆଣିବାର ଆବଶ୍ୟକତା ଉପରେ ବଳ ଦେବାକୁ ଚନ୍ନୀ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ଲୋକଙ୍କର ଅଭିଯୋଗକୁ ପ୍ରାଥମିକତା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।