ପଞ୍ଜାବରେ ଆତଙ୍କୀ ହମ୍‌ଲା ଯୋଜନା: ଟାର୍ଗେଟରେ ୧୦ ରାଜନେତା, ସାରା ରାଜ୍ୟରେ ହାଇଆଲର୍ଟ

ଚଣ୍ଡୀଗଡ,ଏଜେନ୍ସି: ପଞ୍ଜାବରେ ଆତଙ୍କ ଖେଳାଇବାକୁ ଷଡଯନ୍ତ୍ର ରଚୁଛି ଆତଙ୍କବାଦୀ ସଙ୍ଗଠନ । ପଞ୍ଜାବର ମୋହାଲି ଓ ଚଣ୍ଡୀଗଡରେ ଆକ୍ରମଣ ପାଇଁ ପାକିସ୍ତାନୀ ଗୁଇନ୍ଦା ଏଜେନ୍ସି ଆଇଏସଆଇ (ଆଇଏସ୍‌ଆଇ) ଯୋଜନା କରୁଛି । ଏନେଇ କେନ୍ଦ୍ରୀୟ ଗୁଇନ୍ଦା ଏଜେନ୍ସି ରାଜ୍ୟ ସରକାରଙ୍କୁ ସତର୍କ କରାଇଛି । ଗୁଇନ୍ଦା ଏଜେନ୍ସିର ସୂଚନା ପରେ ସାରା ରାଜ୍ୟରେ ହାଇଆଲର୍ଟ ଜାରି ହୋଇଛି । ଆସନ୍ତା ୨୪ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ମୋହାଲି ଗସ୍ତ କରିବାର କାର୍ଯ୍ୟକ୍ରମ ରହିଥିବା ବେଳେ ଦୁଇ ଦିନ ପୂର୍ବରୁ ଏହି ଆତଙ୍କବାଦୀ ଆକ୍ରମଣର ସୁରାକ୍ ମିଳିଛି । ଏପରିକି ଶିଖ୍ ଫର ଜଷ୍ଟିସ୍ ସଂଗଠନ ମୁଖ୍ୟ ତଥା ଆତଙ୍କବାଦୀ ଗୁରୁପତବନ୍ତ ସିଂ ପନ୍ନୁ ମଧ୍ୟ ଭିଡିଓ ଜାରି କରି ଚେତାବନୀ ଦେଇଛି ।

ଆତଙ୍କବାଦୀ ଗୁରୁପତବନ୍ତ ସିଂ ଜାରି କରିଥିବା ଭିଡିଓରେ କହିଛି, ”ପୂର୍ବରୁ ଆମେ ପ୍ରଧାନମନ୍ତ୍ରୀଙ୍କୁ ପଞ୍ଜାବରୁ ଫେରାଇ ଦେଇଥିଲୁ । ଏଥର ମଧ୍ୟ ସେ ପୁଣି ଫେରିଯିବେ । ଆମ ଲୋକ ପଞ୍ଜାବ ମୋହାଲିରେ ପହଞ୍ଚି ସାରିଛନ୍ତି ।” ଆତଙ୍କବାଦୀ ଚଣ୍ଡୀଗଡ ଏବଂ ମୋହାଲିରେ ଆକ୍ରମଣ କରିବାକୁ ଯୋଜନା କରୁଛନ୍ତି । ଆତଙ୍କୀ ସଙ୍ଗଠନ ବସଷ୍ଟାଣ୍ଡଗୁଡିକୁ ଟାର୍ଗେଟ କରିପାରନ୍ତି ବୋଲି ସନ୍ଦେହ କରାଯାଉଛି । ଗୁଇନ୍ଦା ଏଜେନ୍ସିର ସୂଚନା ପରେ ସାରା ରାଜ୍ୟରେ ହାଇଆଲର୍ଟ ଜାରି ହୋଇଛି । ପ୍ରଧାନମନ୍ତ୍ରୀଙ୍କ ଗସ୍ତର ଦୁଇ ଦିନ ପୂର୍ବରୁ ସାରା ରାଜ୍ୟରେ ସୁରକ୍ଷା ବଢାଇ ଦିଆଯାଇଛି ।

ତେବେ ଆତଙ୍କବାଦୀମାନେ ପଞ୍ଜାବର ୧୦ ଜଣ ବରିଷ୍ଠ ରାଜନେତାଙ୍କୁ ଟାର୍ଗେଟ କରିଥିବାର ଖବର ମିଳିଛି । କେନ୍ଦ୍ରୀୟ ଗୁଇନ୍ଦା ଏଜେନ୍ସି ସମ୍ପୃକ୍ତ ୧୦ ଜଣ ନେତାଙ୍କ ତାଲିକା ପଞ୍ଜାବ ପୋଲିସକୁ ଦେଇଛି । ଏହି ନେତାମାନଙ୍କ ମଧ୍ୟରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଖଜିନ୍ଦର ରନ୍ଧୱା, ପୂର୍ବତନ ମନ୍ତ୍ରୀ ଗୁରକୀରତ କୋଟଲି, ବିଜୟନ୍ଦର ସିଙ୍ଗଲା ଓ ପରମିନ୍ଦିର ପିଙ୍କି ରହିଛନ୍ତି । ତେଣୁ ଏହି ନେତାମାନଙ୍କ ସୁରକ୍ଷା ବଢାଇ ଦିଆଯାଇଛି ।

ଉଲ୍ଲେଖଯୋଗ୍ୟ, ସ୍ବାଧୀନତା ଦିବସ ପୂର୍ବରୁ ପୋଲିସ ୪ ଜଣ ଆତଙ୍କୀଙ୍କୁ ଗିରଫ କରିଥିଲା । ସେମାନେ ସମସ୍ତେ କାନାଡ ଗ୍ୟାଙ୍ଗଷ୍ଟାର ଅର୍ଶ ଦଲ୍ଲା ଏବଂ ଅଷ୍ଟ୍ରେଲିଆ ଗ୍ୟାଙ୍ଗଷ୍ଟାର ଗୁରଜଣ୍ଟା ଜୁଣ୍ଟା ସହ ଯୋଗାଯୋଗରେ ଥିଲେ । ଏହି ଆତଙ୍କବାଦୀମାନେ ଦିଲ୍ଲୀ, ମୋଗା, ମୋହାଲିରେ ଆତଙ୍କୀ ହମ୍‌ଲା ପାଇଁ ଷଡଯନ୍ତ୍ର କରୁଥିବା ପୋଲିସ ପଚରାଉଚରାରୁ ଜାଣିବାକୁ ପାଇଥିଲା ।