ମହାନଦୀରେ ମନୁଷ୍ୟକୃତ ବନ୍ୟା ସୃଷ୍ଟି ହୋଇଥିବା ବିଜେପିର ଅଭିଯୋଗ

ଭୁବନେଶ୍ବର,ଏନ୍ଏନ୍ଏସ୍: ବନ୍ୟା ପରିଚାଳନା ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲା ବିଜେପି । ମହାନଦୀରେ ଆସିଥିବା ବନ୍ୟା ମନୁଷ୍ୟକୃତ ବୋଲି ଅଭିଯାଗ କରିଛି ବିଜେପି । ରାଜ୍ୟ ସରକାର ବନ୍ୟା ପରିଚାଳନାରେ ବିଫଳ ହୋଇଛନ୍ତି ଏବଂ ତାଙ୍କ ଅବହେଳା ଓ ଦାୟିତ୍ବ ହୀନତା ପାଇଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା କହି ସାମ୍ବାଦିକ ସମ୍ମିଳନୀରେ ବିଜେଡି ସରକାର ଉପରେ ବର୍ଷିଛି ବିଜେପି ।

ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ କହିଛନ୍ତି, “ସରକାରଙ୍କ ଅବହେଳା ଯୋଗୁଁ ଗତ ୬ରୁ ୭ ବର୍ଷ ହେବ ଛତିଶଗଡ଼ ସହ ସମନ୍ବୟ ବୈଠକ ସଠିକ ଭାବରେ ହୋଇ ପାରୁନାହିଁ । ହୀରାକୁଦ ଜଳ ପରିଚଳନା ନେଇ ରୂଲ କର୍ଭ ନିୟମ ଉଲ୍ଲଘଂନ ଓ ବନ୍ଧବାଡ଼ର ସଠିକ ମରାମତି କରାନଯିବା କରଣରୁ ଏଭଳି ସ୍ଥିତି ସୃଷ୍ଟି ହେଲା । ଯାହା ଦ୍ବାରା ଧନ ଜୀବନ ନଷ୍ଟ ହେବାସହ ବ୍ୟାପକ ଫସଲ ହାନି ହୋଇଛି । ବନ୍ୟାରେ କଚ୍ଚା ଘର ବି ଅନେକ ଭାଙ୍ଗିଛି । ଏପରିକି ପ୍ରଶାସନ ପଲିଥିନ ଖଣ୍ଡିଏ ବି ଯୋଗାଇ ଦେଇନାହିଁ। ବନ୍ୟା ଆସିବାର ୪ ଦିନ ପର୍ଯ୍ୟନ୍ତ ରିଲିଫ ଅପରେସନ ହେଲା ନାହିଁ । ରନ୍ଧା ଖାଦ୍ୟ କି ଶୁଖିଲା ଖାଦ୍ୟ ବି ଦିଆ ଯାଇନଥିଲା । ଲୋକଙ୍କୁ କେବଳ ଭଗବାନ ଭରଷା ରେ ଛାଡି ଦିଆଗଲା ।”

ରାଜ୍ୟରେ ବନ୍ୟା ପରିସ୍ଥିତି ନେଇ ସରକାର ଯେଉଁଭଳି ଭାବରେ ପରିଚାଳନା ଦାୟିତ୍ବ ନିଅନ୍ତି ତାହା ହେଲାନାହିଁ । ପ୍ରତିବର୍ଷ ବର୍ଷା ଦିନ ପୂର୍ବରୁ ନଦୀଗୁଡ଼ିକର ବନ୍ଧବାଡ଼ ମରାମତି କରିବାର ଆବଶ୍ୟକତା ଜଳସମ୍ପଦ ଏଡ଼ାଇ ଦେଇଛି । ଦାୟିତ୍ବହୀନ ସରକାର ରାଜ୍ୟବାସୀଙ୍କୁ କ୍ଷମା ମାଗନ୍ତୁ ବୋଲି ବିରୋଧୀ ବିଜେପି ଅଭିଯୋଗ କରିଛି । ଏହାସହ ବନ୍ୟା ସ୍ଥିତି ମୁକାବିଲା ପାଇଁ ସ୍ଥାୟୀ ପ୍ରତିକାର ଏବଂ ଦୀର୍ଘ ମିଆଦି ଯୋଜନା ପ୍ରସ୍ତୁତ କରିବାକୁ ଦାବି କରିଛି ବିଜେପି ।