ପାଟଣାଗଡ଼,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲାର କୋରୁକୁଣ୍ଡା ବ୍ଲକରେ କାର୍ଯ୍ୟରତ ୫ଜଣ ସାମ୍ବାଦିକଙ୍କୁ ମାଲକାନଗିରି ପୁଲିସ ଗିରଫ କରିବା ଘଟଣାକୁ ନେଇ ସାରା ରାଜ୍ୟରେ ପ୍ରତିବାଦ ପ୍ରକାଶ ପାଇଛି। ଏହି ପରିପ୍ରେକ୍ଷୀରେ ବଲାଙ୍ଗିର ଜିଲ୍ଲାର ପାଟଣାଗଡ଼ରେ ସାମ୍ବାଦିକମାନେ ଏକ ପ୍ରତିବାଦ ସଭା କରି ସ୍ଥାନୀୟ ଉପଜିଲ୍ଲାପାଳ ବିଜୟାନନ୍ଦ ସେଠୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଂଚିଥିଲେ। ଏଥିସହିତ ସାମ୍ବାଦିକଙ୍କ ସୁରକ୍ଷାକୁ ନେଇ ଏକ ଆଇନ କରିବାକୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ପାଟଣାଗଡ଼ ଉପଜିଲ୍ଲାପାଳ ବିଜୟାନନ୍ଦ ସେଠୀଙ୍କୁ ପ୍ରଦାନ କରାଯାଇଛି। ଅନ୍ୟପଟେ ଏତଲା ଦେବା ସତ୍ୱେ ପୁଲିସ ରଖିନଥିବାରୁ ଅସନ୍ତୋଷ ଦେଖାଦେଇଛି। ପାଟଣାଗଡ ଉପଖଣ୍ଡ ସାମ୍ବାଦିକ ସଂଘର ସମ୍ପାଦକ ଲକ୍ଷ୍ମୀକାନ୍ତ ମିଶ୍ର, ସଦାଶିବ ସରାଫ, ପ୍ରହଲ୍ଲାଦ ପାଢ଼ୀ, ବଂଶୀଧର ସେଠ, ପ୍ରବୀଣ ପୁରୋହିତ, ସୁନୀଲ ଚୋପଦାର, ଲଲିତ ମିଶ୍ର, ରାଜେଶ ଚାନ୍ଦ, ଦିଲ୍ଲୀପ ଭୋଇ, ରଞ୍ଜନ ମେହେର ଓ ବିମଲ ବାଗ ପ୍ରମୁଖ ଉପସ୍ଥିତ ଥିଲେ।
ସେହିପରି ଖପ୍ରାଖୋଲ ବ୍ଲକରେ ମଧ୍ୟ ସ୍ଥାନୀୟ ପ୍ରେସ କ୍ଲବର ସଭାପତି ବିଜୟ ମିଶ୍ରଙ୍କ ନେତୃତ୍ୱରେ ପ୍ରତିବାଦ କରାଯାଇ ବିଡିଓଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଛି। ଏହି ସମୟରେ ଅଭୟ ତ୍ରିପାଠୀ, ତାପସ ରଞ୍ଜନ ବେହେରା, ବିହାରୀ ବାରିକ, ଜ୍ୟୋତିରଞ୍ଜନ ପଣ୍ଡା, କାନ୍ତ ପ୍ରଧାନ, ମନୋଜ ଦାସ ଓ ଭୋଜରାଜ ବରିହା ପ୍ରମୁଖ ଉପସ୍ଥିତ ଥିଲେ।