ସଂଗୀତକାର ୱାଜିଦ ଖାନଙ୍କ ୪୨ ବର୍ଷ ବୟସରେ ନିଧନ, ବଲିଉଡରେ ଶୋକର ଛାୟା

ମୁମ୍ବାଇ,ଏଜେନ୍ସି: ବଲିଉଡର ଜଣାଶୁଣା ସଂଗୀତକାର ଯୋଡି ସାଜିଦ-ୱାଜିଦର ୱାଜିଦ ଖାନଙ୍କ ୪୨ ବର୍ଷ ବୟସରେ ଆଜି ଭୋରରେ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ପରଲୋକ ଘଟିଛି। ସୂଚନାଯୋଗ୍ୟ ଯେ, ୱାଜିଦଙ୍କ କିଡନୀ ଖରାପ ଥିବା ବେଳେ ସେ କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ ସେ ପାଖାପାଖି ୨ ମାସ ପୂର୍ବରୁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ମାତ୍ର କିଛି ଦିନ ପୂର୍ବରୁ ତାଙ୍କର କିଡନୀ ଟ୍ରାନ୍ସପ୍ଲାଣ୍ଟ କରାଯାଇଥିଲା।

ତେବେ ୩ ଦିନ ପୂର୍ବରୁ ତାଙ୍କର କରୋନା ଲକ୍ଷଣ ଦେଖା ଦେଇଥିଲା। କିନ୍ତୁ ହୃଦଘାତରେ ତାଙ୍କର ମୃତ୍ୟୁ ହେଇଥିବା କୁହାଯାଉଛି। ସେ ଡାଏବେଟିସରେ ମଧ୍ୟ ପୀଡିତ ଥିଲେ। ତେବେ କରୋନା ଲକ୍ଷଣ ଥିବା ଯୋଗୁଁ ୱାଜିଦଙ୍କ ଅନ୍ତିମ ଯାତ୍ରାରେ ଅଳ୍ପ କିଛି ଲୋକ ହିଁ ସାମିଲ ହେବା ପାଇଁ ଅନୁମତି ଦିଆଯାଇଛି। ୱାଜିଦଙ୍କ ନିଧନରେ ବଲିଉଡରେ ଶୋକର ଛାୟା ଖେଳି ଯାଇଛି। ଏହି ପରିପ୍ରେକ୍ଷୀରେ ଚଳିତ ବର୍ଷ ସମଗ୍ର ବିଶ୍ୱ ଉପରେ ବିପଦ ଆସି ପଡ଼ିଥିବା ବେଳେ ବଲିଉଡ ଜଗତରେ ମଧ୍ୟ କଳାର ଛାୟା ମାଡ଼ିଯାଇଛି। ତେବେ ଅନେକ ସଂଗୀତକାର ତଥା ଗାୟକ ୱାଜିଦଙ୍କ ନିଧନକୁ ବଲିଉଡ ପାଇଁ ଏକ ବଡ ଝଟକା ବୋଲି କହିଛନ୍ତି।