ରାଜ୍ୟରେ ଶିଶୁ ଅପହରଣ ଓ ଚୋରି ଘଟଣା: ସତର୍କ ରହିବାକୁ ସବୁ ଏସପିଙ୍କୁ ନୋଟିସ

ଭୁବନେଶ୍ୱର,ଏନ୍ଏନ୍ଏସ୍: ପିଲା ଅପହରଣ ଓ ଚୋରି ଭଳି ଘଟଣାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ। ଗତକାଲି ବଡଗଡ଼ ଥାନା ଦ୍ୱାରା ନାବାଳିକା ଅପହରଣ ଘଟଣାରେ ଜଣେ ମହିଳାଙ୍କୁ ଗିରଫ କରିବା ସହ ମଞ୍ଚେଶ୍ୱରରୁ ଅପହୃତ ନାବାଳିକାକୁ ଉଦ୍ଧାର କରାଯାଇଥିଲା। ଘଟଣାରେ ଉଦ୍ଧାର ନାବାଳିକାର ସ୍ୱାସ୍ଥ୍ୟ ଓ ମାନସିକ ଅବସ୍ଥା ସହିତ ଅପହରଣ ପଛର କାରଣ ସମ୍ପର୍କରେ ସୂଚନା ଦେବାକୁ ବଡଗଡ଼ ଥାନା ପୋଲିସକୁ ନୋଟିସ କରିଛନ୍ତି।

ଏହା ସହିତ ରାଜ୍ୟର ସମସ୍ତ ଜିଲ୍ଲାର ଏସପିଙ୍କୁ ସତର୍କ ରହି ଶିଶୁ ଅପହରଣ ଓ ଚୋରିକୁ ରୋକିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ନୋଟିସ ଜାରି କରିଛନ୍ତି। ସେହିଭଳି ଅଭିଭାବକମାନଙ୍କୁ ସଜାଗ ରହିବାକୁ ପରାମର୍ଶ ଦେଇଛନ୍ତି ଆୟୋଗ ଅଧ୍ୟକ୍ଷା ମନ୍ଦାକିନୀ କର। ଶିଶୁ ସୁରକ୍ଷା କ୍ଷେତ୍ରରେ କାର୍ଯ୍ୟ କରୁଥିବା ବିଭିନ୍ନ ସ୍ବେଛାସେବୀ ସଂଗଠନ ଓ ଚାଇଲଡ଼ ଲାଇନକୁ ମଧ୍ୟ ମୁଖ୍ୟତଃ ରେଳ ଷ୍ଟେସନ ଓ ବସଷ୍ଟାଣ୍ଡ ଉପରେ ନଜର ରଖିବାକୁ ପରାମର୍ଶ ଦେଇଛନ୍ତି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ।