ଆଜିଠାରୁ ପୁରୀରେ ରଥ ଖୋଲା ଓ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ

ପୁରୀ,ଏନ୍ଏନ୍ଏସ୍: ଆଜିଠାରୁ ପୁରୀରେ ମହାପ୍ରଭୁଙ୍କ ତିନି ରଥ ଖୋଲା ଓ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି। ସେହିପରି ୨୫ ଦିନ ଭିତରେ ସ୍ଥାନାନ୍ତର ପ୍ରକ୍ରିୟା ଶେଷ ହେବ। ଏଥି ପାଇଁ ଶ୍ରୀମନ୍ଦିର ପ୍ରଶାସନ ଅଗ୍ରିମ ଏକ ଲକ୍ଷ ଟଙ୍କା ମଞ୍ଜୁର କରିଛି।

ଚଳିତ ବର୍ଷ କରୋନା କଟକଣା ଯୋଗୁଁ ଭକ୍ତ ଶୂନ୍ୟ ରଥଯାତ୍ରା ଅନୁଷ୍ଠିତ ହୋଇଥିଲା। ଶ୍ରଦ୍ଧାଳୁମାନେ ରଥ ଉପରେ ମହାପ୍ରଭୁଙ୍କ ଦର୍ଶନ କରି ପାରି ନଥିଲେ। ରଥ ଛୁଇଁବାର ସୌଭାଗ୍ୟରୁ ମଧ୍ୟ ବଞ୍ଚିତ ହୋଇଥିଲେ। ତେଣୁ ଏ ବର୍ଷର ରଥଯାତ୍ରା ସ୍ମୃତିକୁ ଭବିଷ୍ୟତ ପିଢ଼ିଙ୍କ ପାଇଁ ସଂରକ୍ଷିତ ରଖିବା ଲକ୍ଷ୍ୟରେ ଶ୍ରୀମନ୍ଦିର ପରିଚାଳନା କମିଟି ତିନି ରଥକୁ ଭଙ୍ଗା ନଯାଇ ସଂଗ୍ରହାଳୟରେ ରଖିବା ପାଇଁ ନିଷ୍ପତି ନେଇଥିଲା। ଏନେଇ ମହାପ୍ରଭୁଙ୍କ ପ୍ରମୋଦ ଉଦ୍ୟାନ ଜଗନ୍ନାଥ ବଲ୍ଲଭରେ ଏହି ରଥକୁ ସାଇତି ରଖାଯିବ। ଫଳରେ ଶ୍ରଦ୍ଧାଳୁ ବର୍ଷ ସାରା ରଥ ଦର୍ଶନ କରିପାରିବେ।

ଏହି ରଥ ଖୋଲା ଓ ସ୍ଥାନାନ୍ତର ସମୟରେ ତିନି ରଥରୁ ବାହାରିବାକୁ ଥିବା ସମସ୍ତ କାଠ, ପଟା ଆଦି ଯେପରି ସୁରକ୍ଷିତ ଓ ଅକ୍ଷୁର୍ଣ୍ଣ ରହିବ, ସେଥିପ୍ରତି ଧ୍ୟାନ ଦେବାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସହକାରୀ ଯନ୍ତ୍ରୀ ଗୋକୁଳାନନ୍ଦ ସାବତଙ୍କୁ ଦାୟିତ୍ୱ ଦିଆଯାଇଛି।