ବାଲିଯାତ୍ରାକୁ ଝଟକା, ୩୪ ଏକର ଜାଗାରେ ବାଲିଯାତ୍ରା କରିବାକୁ ଅନୁମତି

କଟକ,ଏନ୍ଏନ୍ଏସ୍: ନ୍ୟାସନାଲ ଗ୍ରୀନ ଟ୍ରିବୁନାଲ (ଏନ୍‌ଜିଟି)ର ନିର୍ଦ୍ଦେଶ ପରେ ଏବେ କଟକ ବାଲିଯାତ୍ରା ଆୟୋଜନକୁ ଝଟକା ଲାଗିଛି । ମହାନଦୀ ପଠାରେ ଶହେ ଏକର ଯାଗାରେ ବାଲିଯାତ୍ରା ଆୟୋଜନ କରିବାକୁ ପ୍ରସ୍ତୁତ ହେଉଥିବା ବେଳେ, କେବଳ ୩୪ ଏକର ଯାଗାରେ ବାଲିଯାତ୍ରା କରିବାକୁ ଅନୁମତି ଦେଇଛନ୍ତି । ବାକି ଯାଗାରେ ଏନ୍‌ଜିଟି ଅନୁମତିରେ ଜିଲ୍ଲା ପ୍ରଶାସନ କୌଣସି କାର୍ଯ୍ୟକ୍ରମ କରିପାରିବ । ଶହେ ଏକର ଯାଗାରେ ବାଲିଯାତ୍ରା କରିବା ପାଇଁ ପ୍ରଶାସନ କେବେ ଯୋଜନା କରିନଥିଲା ବୋଲି ଜିଲ୍ଲାପାଳ କହିଛନ୍ତି ।

ଫଳରେ ଐତିହାସିକ ବାଲିଯାତ୍ରା ଆୟୋଜନକୁ ନେଇ ପୁଣି ଦ୍ବନ୍ଦ୍ବ ଉପୁଜିଛି । ଗ୍ରୀନ ଟ୍ରିବୁନାଲର ନିର୍ଦ୍ଦେଶ ଆସିବା ପରେ ପ୍ରଶାସନ ବାଲିଯାତ୍ରା ଆୟୋଜନକୁ ଶକ୍ତ ଧକ୍କା ଲାଗିଛି । ମହାନଦୀରୁ ବାଲି ଡ୍ରେଜିଂ ପରେ ଗଡ଼ଗଡି଼ଆ ପଠାରୁ ଯୋବ୍ରା ବ୍ୟାରେଜ ପର୍ଯ୍ୟନ୍ତ ନଦୀପଠାକୁ ମହାନଦୀରୁ ବାହାରିଥିବା ବାଲିରେ ପୋତି ଦିଆଯାଇଥିଲା । ଫଳରେ ପ୍ରଶାସନ ବିଭିନ୍ନ ପ୍ରକଳ୍ପ ଓ ବାଲିଯାତ୍ରା ଆୟୋଜନ ପାଇଁ ପ୍ରାୟ ୪ଶହ ୨୬ ଏକର ଯାଗା ପାଇପାରିଥିଲା । ତେବେ ଏ ନେଇ କିଛି ବୁଦ୍ଧିଜୀବୀ ଓ ଆଇନଜୀବୀ ଗ୍ରୀନ ଟ୍ରିବୁନାଲର ଦ୍ବାରସ୍ଥ ହୋଇଥିଲେ ।

ପ୍ରଶାସନ ନଦୀ ପଠା ପୋତି ଦେବା ଫଳରେ ମହାନଦୀ ଅବବାହିକାର ଜୈବ ବିବିଧତାକୁ ନଷ୍ଟ ହେଉଛି । ପରିବେଶ ସନ୍ତୁଳନ ବିଗୁଡୁଛି ଓ ପ୍ରଶାସନ ଏଭଳି ନଦୀପଠା ପୋତି ଦେବା ଫଳରେ ମହାନଦୀରେ ବଡ ବନ୍ୟା ଆସିଲେ ଗୁରୁତର ସମସ୍ୟା ସୃଷ୍ଟି ହେବ ବୋଲି ଏନ୍‌ଜିଟିରେ ପିଟିସନ ଦାଖଲ ହୋଇଥିଲା । ଗତକାଲି ଚୂଡାନ୍ତ ଶୁଣାଣି କରି ଗ୍ରୀନ ଟ୍ରିବୁନାଲ ପ୍ରଶାସନ ପୁନରୁଦ୍ଧାର କରିଥିବା ୪ଶହ ୨୬ ଏକର ଯାଗା ମଧ୍ୟରୁ କେବଳ ୩୪ ଏକର ଯାଗାରେ ବାଲିଯାତ୍ରା ଆୟୋଜନକୁ ଅନୁମତି ଦେଇଛନ୍ତି ।