ମରିବା ପରେ ବି ପ୍ରିୟଙ୍କା ଅମର: ଦାନ କରିଦେଲେ କିଡନୀ

ଦିଗପହଣ୍ଡି,ଏନ୍ଏନ୍ଏସ୍: ଗତ ୨୬ ତାରିଖ ଦିନ ଘଟିଥିବା ସଡକ ଦୁର୍ଘଟଣାରେ ଦିଗପହଣ୍ଡି ଏନ୍ଏସିର ପୂର୍ବତନ କାଉନସିଲର୍ ଭି. ଭାରତୀ ରାଜୁଙ୍କ ପରିବାରର ୭ଜଣ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ପ୍ରଥମେ ବ୍ରହ୍ମପୁର ପରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଘଟଣା ଦିନ ଠାରୁ ଭି.ଭାରତୀ ରାଜୁଙ୍କ ଦ୍ୱିତୀୟ ବୋହୁ ପ୍ରୀୟଙ୍କାରାଣୀ ପାତ୍ର ଓ ତାଙ୍କ ଝିଅ ଛଅ ବର୍ଷର ସିନ୍ଧିଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ରହିଥିଲା। ଗତକାଲି ରାତ୍ରିରେ ଚିକିତ୍ସାଧିନ ଅବସ୍ଥାରେ ବୋହୁ ପ୍ରିୟଙ୍କା ପାତ୍ରର ପ୍ରାଣବାୟୁ ଉଡିଯାଇଥିବା ବେଳେ ଝିଅ ସିନ୍ଧି ଜୀବନ ସହିତ ସଂଗ୍ରାମ କରୁଛି।

ବୋହୁ ପ୍ରିୟଙ୍କାଙ୍କ ମୃତ୍ୟୁ ପରେ ତାଙ୍କର ଗୁରୁତ୍ୱପୁର୍ଣ୍ଣ ଅଙ୍ଗ କିଡନୀ (ବୃକକ୍)କୁ ଦାନ କରିବା ଘଟଣା ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି। ଗତକାଲି ସନ୍ଧ୍ୟାବେଳେ ଆପୋଲ ହସ୍ପିଟାଲର ଡାକ୍ତରମାନେ ପ୍ରିୟଙ୍କାର ବ୍ରେନ୍ ଡେଡ୍ ହେବାକୁ ଯାଉଛି ବୋଲି ପରିବାରବର୍ଗକୁ ସୂଚନା ଦେଇଥିଲେ। ସୂଚନା ପାଇ ଭି.ଭାରତୀ ରାଜୁ ତାଙ୍କ ସ୍ୱାମୀ ଭି.ଧର୍ମା, ବଡ ପୁଅ ଭି.ସଚ୍ଚିନ, ମଝିଆ ପୁଅ ଭି.ସମୀର ଓ ସାନ ପୁଅ ଭି.ସନ୍ଦିପ, ପ୍ରିୟଙ୍କାଙ୍କ ବାପା ପି.ସୁବାରାଓ ପାତ୍ର ଓ ମା’ ପି.ନମିତା ପାତ୍ର ମୃତା ପ୍ରିୟଙ୍କାର କିଡନୀକୁ ଦାନା କରିବା ପାଇଁ ନିଷ୍ପତ୍ତି ନେଇଥିଲେ।

ତାଙ୍କ ଝିଅର ଜୀବନ ଚାଲିଯାଇଛି ସତ କିନ୍ତୁ ତାଙ୍କର ଗୁରୁତ୍ୱପୁର୍ଣ୍ଣ ଅଙ୍ଗଦାନରେ ଯଦି କାହାର ଜୀବନ ରକ୍ଷା ହୁଏ, ଏହା ତାଙ୍କ ପାଇଁ ପୂଣ୍ୟର ଫଳ ବୋଲି ପ୍ରିୟଙ୍କାଙ୍କ ବାପା ସୁବାରାଓ, ମା ନମିତା, ଶ୍ୱଶୁର ଧର୍ମାରାଜୁ କହିଛନ୍ତି। ଧର୍ମାରାଜୁ ଖେମୁଣ୍ଡି ସ୍ୱେଚ୍ଛାକୃତ ରକ୍ତଦାନ ସଂଘର ସଭାପତି ଅଛନ୍ତି। ଏଥି ପୂର୍ବରୁ ସେ ଅନେକ ଲୋକଙ୍କ ମୃତ୍ୟୁ ପରେ ଚକ୍ଷୁଦାନ କରିବା ଦିଗରେ ଏକ ସଚେତନତା କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି।

ସୂଚନାଯୋଗ୍ୟ ଯେ, ଗତମାସ ୨୬ ତାରିଖରେ ଦିଗପହଣ୍ଡି ଏନ୍ଏସିର ପୂର୍ବତନ କାଉନସିଲର୍ ଭି.ଭାରତୀ ରାଜୁଙ୍କ ପରିବାର ବ୍ରହ୍ମପୁରରୁ ଭୋଜିଖାଇ ଇଣ୍ଡିକୋ ଯୋଗେ ଫେରୁଥିବା ବେଳେ କୁରେଇଶୁଣୀ ମନ୍ଦିର ନିକଟରେ ବିପରିତ ଦିଗରୁ ଆସୁଥିବା ଏକ ପିକଅପ୍ ସହ ମୁହାଁମୁହିଁ ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ପରିବାରର ସାତଜଣ ଗୁରୁତର ଆହତ ହୋଇଯାଇଥିଲେ। ସେମାନଙ୍କ ମଧ୍ୟରୁ ବୋହୁ ପ୍ରିୟଙ୍କା ଓ ଝିଅ ସିନ୍ଧିର ଅବସ୍ଥା ସଙ୍କଟାପନ୍ନ ରହିଥିଲା। ଆଜି ପ୍ରିୟଙ୍କାଙ୍କ ମର ଶରୀରକୁ ଶୋକାକୂଳ ପରିବେଷରେ ପୁରୀ ସ୍ୱର୍ଗଦ୍ୱାରରେ ଅନ୍ତିମ ସଂସ୍କାର କରାଯାଇଛି।

ତାଙ୍କର ମୃତ୍ୟୁ ଖବର ଶୁଣି ସ୍ଥାନୀୟ ବିଧାୟକ ତଥା ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର, ଜିଲ୍ଲା ସମ୍ପାଦକ କୈଳାଶ ଷଡଙ୍ଗୀ, ପ୍ରଫୁଲ କୁମାର ପଣ୍ଡା, ଭି.ରବିନାରାୟଣ ରାଜୁ, ଅଶ୍ୱିନୀ ଦାସ, କୁରେଶୁ ପଣ୍ଡା, ଏମ୍.ତ୍ରୀନାଥ, ସାମ୍ବାଦିକ ଗୋପାଳକୃଷ୍ଣ ମଲ୍ଲୀକ, ପରେଶ ଚନ୍ଦ୍ର ରଥ, ହରପ୍ରସାଦ ରଥ, ତପନ କୁମାର ମିଶ୍ର, ବସନ୍ତ ପଟ୍ଟନାୟକଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶୋକ ସନ୍ତପ୍ତ ପରିବାର ବର୍ଗକୁ ସମବେଦନା ଜଣେଇବା ସହ ମୃତ ପ୍ରିୟଙ୍କାଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି।