ନୂଆଦିଲ୍ଲୀ,ଏଜେନ୍ସି: ନେପାଳର ପ୍ରଧାନମନ୍ତ୍ରୀ ଶେର୍ ବାହାଦୂର ଦେବୁବା ତିନି ଦିନିଆ ଭାରତ ଗସ୍ତରେ ଆସି ପହଞ୍ଚିଛନ୍ତି ରାଜଧାନୀ ଦିଲ୍ଲୀରେ। ଆଜି ଅପରାହ୍ନରେ ତାଙ୍କ ବିମାନ ଦିଲ୍ଲୀରେ ପହଞ୍ଚିଛି। ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ମଜଭୁତ କରିବା ନେପାଳ ପ୍ରଧାନମନ୍ତ୍ରୀଙ୍କ ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ ରହିଥିବା ବେଳେ ଆସନ୍ତାକାଲି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।
ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀଙ୍କ ସହ ସାକ୍ଷାତ ବ୍ୟତୀତ ନେପାଳ ପ୍ରଧାନମନ୍ତ୍ରୀ ବାରାଣାସୀ ପରିଦର୍ଶନ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି।
ଜୁଲାଇ ୨୦୨୧ରେ ନେପାଳର ପ୍ରଧାନମନ୍ତ୍ରୀ ହେବା ପରେ ଏହା ହେଉଛି ଦେବୁବାଙ୍କର ପ୍ରଥମ ଭାରତ ଗସ୍ତ। ଏହାପୂର୍ବରୁ ସେ ୪ଥର ନେପାଳର ପ୍ରଧାନମନ୍ତ୍ରୀ ଥିଲେ ଏବଂ ପ୍ରତ୍ୟେକ ଅବଧିରେ ଭାରତ ଗସ୍ତ କରିଥିଲେ। ସେ ଶେଷ ଥର ପାଇଁ ୨୦୧୭ରେ ପ୍ରଧାନମନ୍ତ୍ରୀ ଭାବରେ ଭାରତ ଆସିଥିଲେ।
ବିକାଶ, ଅର୍ଥନୈତିକ ସହଭାଗୀତା, ବାଣିଜ୍ୟ, ସ୍ୱାସ୍ଥ୍ୟ କ୍ଷେତ୍ରରେ ସହଯୋଗ, ସଂଯୋଗୀକରଣ, ଶକ୍ତି, ଲୋକମାନଙ୍କ ମଧ୍ୟରେ ସମ୍ପର୍କ ଏବଂ ପାରସ୍ପରିକ ସ୍ୱାର୍ଥର ଅନ୍ୟାନ୍ୟ ବିଷୟ ସମୀକ୍ଷା କରିବାକୁ ଏହା ଦୁଇ ଦେଶକୁ ଏକ ସୁଯୋଗ ପ୍ରଦାନ କରିବା ଉଦ୍ଦେଶ୍ୟରେ ଦେବୁବାଙ୍କ ଏହି ଗସ୍ତ ବିଶେଷ ଗୁରୁତ୍ୱ ବହନ କରିବାକୁ ଯାଉଛି।