ଇଟାଲୀ ଗସ୍ତରେ ପ୍ରଧାନମନ୍ତ୍ରୀ, ୧୬ ତମ ଜି-୨୦ ସମ୍ମିଳନୀରେ ଯୋଗ ଦେବେ

ନୂଆଦିଲ୍ଲୀ,ଏଜେନ୍ସି: ଆଜିଠାରୁ ନଭେମ୍ବର ୨ ପର୍ଯ୍ୟନ୍ତ ରୋମ, ଇଟାଲୀ ଏବଂ ଗ୍ଲାସଗୋ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ଅବସରରେ ସେ ୧୬ ତମ ଜି-୨୦ ସମ୍ମିଳନୀରେ ଯୋଗଦେବେ। ଏଥିସହ ସିଓପି-୨୬ର ବିଶ୍ବ ନେତୃବୃନ୍ଦ ସମ୍ମିଳନୀରେ ମଧ୍ୟ ଯୋଗଦେବେ। ରୋମରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ପ୍ରଥମେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବେ।

ସେହିପରି ଭାଟିକାନରେ ପୋପ୍ ଫ୍ରାନ୍ସିସଙ୍କ ସହ ମଧ୍ୟ ବୈଠକ କରିବେ ବୋଲି ପ୍ରଧାନମନ୍ତ୍ରୀ ଗୁରୁବାର ଟୁଇଟ୍ କରି କହିଛନ୍ତି। ସେ କହିଛନ୍ତି ଯେ, ରୋମରେ ମୁଁ ୧୬ ତମ ଜି-୨୦ ନେତାଙ୍କ ସମ୍ମିଳନୀରେ ଯୋଗ ଦେବି, ଯେଉଁଠାରେ ମହାମାରୀ, ସ୍ଥାୟୀ ବିକାଶ ଏବଂ ଜଳବାୟୁ ପରିବର୍ତ୍ତନରୁ ବିଶ୍ୱ ଅର୍ଥନୈତିକ ଏବଂ ସ୍ୱାସ୍ଥ୍ୟ ପୁନରୁଦ୍ଧାର ଉପରେ ଆଲୋଚନା ମୁଖ୍ୟ ବିଷୟବସ୍ତୁ ରହିବ।

ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ୨୦୨୦ରେ ମହାମାରୀ ଆରମ୍ଭ ହେବା ପରେ ଏ-୨୦ ର ଏହା ହେଉଛି ପ୍ରଥମ ସମ୍ମିଳନୀ, ଯେଉଁଥିରେ ସମସ୍ତେ ବ୍ୟକ୍ତିଗତ ଭାବେ ଉପସ୍ଥିତ ରହିବେ। ଆମକୁ ବର୍ତ୍ତମାନର ବିଶ୍ବ ସ୍ଥିତିକୁ ଅନୁଧ୍ୟାନ କରିବାକୁ ଏବଂ ଆର୍ଥିକ ସ୍ଥିରତାକୁ ଦୃଢ କରିବା ପାଇଁ ଜି-୨୦ ସହାୟକ ହେବ। ଏହା ପରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ବ୍ରିଟିଶ ପ୍ରତିପକ୍ଷ ବୋରିସ ଜନସନଙ୍କ ନିମନ୍ତ୍ରଣ କ୍ରମେ ନଭେମ୍ବର ୧-୨ ରୁ ବ୍ରିଟେନର ଗ୍ଲାସଗୋ ଯାତ୍ରା କରିବେ।