ମମିତା ମର୍ଡର ମାମଲା, ଆଜି ଆସିବେ ବିଜେପି କେନ୍ଦ୍ରୀୟ ପ୍ରତିନିଧି ଦଳ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ମହିଳାମାନେ ଅସୁରକ୍ଷିତ। ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ଦେଶର ଆତ୍ମାକୁ ଶକ୍ତ ଆଘାତ ଦେଇଛି। ଏହାର ପ୍ରତିବାତରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ବିଭିନ୍ନ ରାଜନୈତିକ ଦଳ। ଘଟଣାର ସ୍ଥିତି ଅନୁଧ୍ୟାନ ପାଇଁ ଆଜି ବିଜେପି କେନ୍ଦ୍ରୀୟ ପ୍ରତିନିଧି ଦଳ ଓଡିଶା ଆସିବେ।

ସୂଚନା ଅନୁଯାୟୀ, ମମିତା ହତ୍ୟାକାଣ୍ଡ ଘଟଣାକୁ ନେଇ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ନିର୍ଦ୍ଦେଶ କ୍ରମେ ଆଜି ୩ ଜଣିଆ ପ୍ରତିନିଧି ଦଳ ଓଡିଶା ଗସ୍ତ କରିବେ। ଘଟଣା ସମ୍ପର୍କରେ ବିସ୍ତୃତ ଅନୁଧ୍ୟାନ କରିବ ଟିମ। ଏହି ପ୍ରତିନିଧି ଦଳରେ ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ଅଧ୍ୟକ୍ଷା ଭାନଥା ଶ୍ରୀନିବାସ, ସାଂସଦ ସୁନୀତା ଦୁଗଲ ଓ ବିଧାୟିକା ରୁପା ମିତ୍ର ସାମିଲ ଅଛନ୍ତି। ପ୍ରତିନିଧି ଦଳ ଘଟଣା ସମ୍ପର୍କରେ ସଂପୂର୍ଣ୍ଣ ବିବରଣୀ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କୁ ପ୍ରଦାନ କରିବା ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ ହେବ। ଏ ନେଇ ପୂର୍ବରୁ ସୂଚନା ଦେଇଥିଲେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର। ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ମମିତା ହତ୍ୟାକାଣ୍ଡ ଘଟଣାକୁ ନିନ୍ଦା କରିଛନ୍ତି। ଏ ବିଷୟରେ ସବୁ ଜାଣି ମଧ୍ୟ ମୁଖ୍ୟମନ୍ତ୍ରୀ ଚୁପ ଅଛନ୍ତି। ଅପରାଧୀଙ୍କ ପାଇଁ ରାଜ୍ୟ ସରକାରଙ୍କ କୋହଳ ମନୋଭାବ ସେମାନଙ୍କୁ ପ୍ରତ୍ୟକ୍ଷ ସୁରକ୍ଷା ଦେଉଛି। ଫଳରେ ରାଜ୍ୟରେ ମହିଳାମାନଙ୍କ ପ୍ରତି ହିଂସା ଓ ନିର୍ଯାତନା ବୃଦ୍ଧି ପାଉଛି ବୋଲି କହିଥିଲେ ସମ୍ବିତ ପାତ୍ର।

ପ୍ରକାଶ ଥାଉକି, ଗତକାଲି ଜାତୀୟ କଂଗ୍ରେସ ସାଧାରଣ ସମ୍ପାଦକ ରଣଦୀପ ସିଂ ସୁରଜେୱାଲା ମମିତାଙ୍କ ପରିବାରକୁ ଭେଟିଥିଲେ। ପରିବାରକୁ ନ୍ୟାୟ ପ୍ରଦାନ ପାଇଁ ଉଦ୍ୟମ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ରଣଦୀପ ସିଂ ସୁରଜେୱାଲା। ଏହାସହ ପୀଡିତାଙ୍କ ପରିବାରକୁ ରାଜ୍ୟ ସରକାର ୧ କୋଟି ସହାୟତା, ମମିତାଙ୍କ ଭାଇଙ୍କୁ ଚାକିରି, ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଇସ୍ତଫା ଓ ୯୦ ଦିନ ଭିତରେ ତଦନ୍ତ ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବାକୁ ଦାବି କରିଛନ୍ତି ରଣଦୀପ ସିଂ ସୁରଜେୱାଲା।