‘ଷ୍ଟାଚ୍ୟୁ ଅଫ୍ ପିସ୍’ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ଜୟପୁର,ଏଜେନ୍ସି: ସୋମବାର ଜୈନ ସାଧୁ ଆଚାର୍ଯ୍ୟ ଶ୍ରୀ ବିଜୟବଲ୍ଲଭ ସୁରିଶ୍ୱର ଜୀ ମହାରାଜଙ୍କ ୧୫୧ତମ ଜନ୍ମବାର୍ଷିକୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ଜରିଆରେ ରାଜସ୍ଥାନ ପାଲି ଜିଲ୍ଲାର ଜେଟପୁରାଠାରେ ‘ଷ୍ଟାଚ୍ୟୁ ଅଫ୍ ପିସ୍’ ଉଦଘାଟନ କରିଛନ୍ତି। ଜେଟପୁରାସ୍ଥିତ ବିଜୟବଲ୍ଲଭ ସାଧନାକେନ୍ଦ୍ରଠାରେ ନିର୍ମିତ ଏହି ପ୍ରତିମୂର୍ତ୍ତିର ଉଚ୍ଚତା ୧୫୧ଇଞ୍ଚ୍ ଅର୍ଥାତ୍ ସାଢେ ବାରଫୁଟ ହୋଇଥିବା ବେଳେ ପ୍ରତିମୂର୍ତ୍ତିକୁ ଅଷ୍ଟଧାତୁରେ ନିର୍ମାଣ କରାଯାଇଛି। ଏହି ଅବସରରେ ମୋଦୀ ଆଚାର୍ଯ୍ୟ ବିଜୟବଲ୍ଲଭଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିବା ସହ କହିଛନ୍ତି ଯେ, ଭାରତ ସବୁବେଳେ ଶାନ୍ତି, ଅହିଂସା ଏବଂ ବନ୍ଧୁତ୍ୱ ଉପରେ ବିଶ୍ୱାସ କରଆସିଛି। ଭାରତର ଇତିହାସକୁ ଦେଖିଲେ ପ୍ରତି ସମୟରେ ଜଣେ ଜଣେ ସାଧୁ ଏବଂ ମହାପୁରୁଷ ଦେଶକୁ ଶାନ୍ତି ଦିଗରେ ମାର୍ଗଦର୍ଶନ କରାଇବାକୁ ରହିଆସିଛନ୍ତି। ଆଚାର୍ଯ୍ୟ ବିଜୟବଲ୍ଲଭ ଜଣେ ଉଦାରହୃହୟର ବ୍ୟକ୍ତି ଥିଲେ ବୋଲି ‘ଷ୍ଟାଚ୍ୟୁ ଅଫ୍ ପିସ୍’ ଉଦଘାଟନ ଅବସରରେ ମୋଦୀ କହିଥିଲେ।

ସୂଚନାଯୋଗ୍ୟ, ୧୮୭୦ ମସିହାରେ ଜନ୍ମଗ୍ରହଣ କରିଥିବା ଆଚାର୍ଯ୍ୟ ବିଜୟବଲ୍ଲଭ ଭଗବାନ ମହାବୀର ଜୈନଙ୍କର ସନ୍ଦେଶକୁ ପ୍ରଚାର କରିବା ସହ ଲୋକଙ୍କ କଲ୍ୟାଣ, ଶିକ୍ଷାର ପ୍ରସାର, ସାମାଜିକ ଅନ୍ଧବିଶ୍ୱାସର ମୂଳତ୍ପାଟନ ପାଇଁ ନିଜ ଜୀବନକାଳ ମଧ୍ୟରେ ଅନେକ ପ୍ରୟାସ କରିଥିଲେ। ସ୍ୱାଧୀନତା ସଂଗ୍ରାମ ଏବଂ ସ୍ୱଦେଶୀ ଆନ୍ଦୋଳନରେ ମଧ୍ୟ ତାଙ୍କର ଯୋଗଦାନ ରହିଥିଲା। ଏହି ସାଧୁଙ୍କୁ ସମ୍ମାନ ଦେଇ ତାଙ୍କ ପ୍ରତିମୂର୍ତ୍ତିକୁ ‘ଷ୍ଟାଚ୍ୟୁ ଅଫ୍ ପିସ୍’ ନାମରେ ନାମିତ କରାଯାଇଛି।