ପାକ୍ ସେନାର ଅଭିଯୋଗକୁ ଆଫଗାନିସ୍ତାନର ଖଣ୍ଡନ

କାବୁଲ,ଏଜେନ୍ସି: ଆଫଗାନିସ୍ତାନ ଭାରତ ସହ ମିଶି ପାକିସ୍ତାନ ବିରୋଧରେ ଆତଙ୍କବାଦୀ କାର୍ଯ୍ୟ ପାଇଁ ଆତଙ୍କୀଙ୍କୁ ପ୍ରୋତ୍ସାହନ ଦେଉଛି ବୋଲି ପାକ୍ ସେନା କରିଥିବା ଅଭିଯୋଗକୁ କାବୁଲ ପକ୍ଷରୁ ଖଣ୍ଡନ କରାଯାଇଛି। ଆଫଗାନିସ୍ତାନର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୋମବାର କୁହାଯାଇଛି, ଚଳିତ ସପ୍ତାହରେ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ କାବୁଲ ଗସ୍ତରେ ଆସୁଥିବାରୁ ସେହି ସମୟରେ ପାକିସ୍ତାନ ଏହି ପ୍ରସଙ୍ଗ ଉତ୍ଥାପନ କରିବା ଅଧିକ ପ୍ରାସଙ୍ଗିକ ହେବ। ଏଥିପୂର୍ବରୁ ପାକ୍ ସେନାର ଏ ପ୍ରକାର ଅଭିଯୋଗକୁ ଭାରତ ପକ୍ଷରୁ ଖଣ୍ଡନ କରାଯାଇଥିଲା।

ଭାରତ ପାକିସ୍ତାନ ବିରୋଧରେ ଆତଙ୍କୀ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରୁଥିବା ଇସ୍ଲାମାବାଦ ପକ୍ଷରୁ ଯେଉଁ ପ୍ରମାଣ ଉପସ୍ଥାପନ କରାଯାଉଥିଲା ଭାରତ ତାକୁ ଗତ ରବିବାର ଅଗ୍ରାହ୍ୟ କରିଛି। ଉଲ୍ଲେଖଯୋଗ୍ୟ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହ ମେହେମୁଦ୍ କ୍ୟୁରେସି ଓ ପାକ୍ ସେନାର ମୁଖ୍ୟ ମୁଖପାତ୍ର ମେଜର ଜେନେରାଲ ବାବର ଇଫ୍ତିକାର ଗତ ଶନିବାର ଏହାର ପ୍ରମାଣ ଦର୍ଶାଇଥିଲେ ଏବଂ ସେମାନେ କହିଥିଲେ, ଗୁଇନ୍ଦା ରିପୋର୍ଟ ଆଧାରରେ ଏହି ପ୍ରାମାଣିକ ତଥ୍ୟ ଉପସ୍ଥାପନ କରାଯାଇଛି।