ଚାରି ଦଫାଦାବିରେ ପ୍ରାଥମିକ ଶିକ୍ଷକ ସଂଘର ବିଶାଳ ସମାବେଶ

ଦେବଗଡ଼,ଏନ୍‌ଏନ୍‌ଏସ୍‌: ନୂତନ ପେନସନ ଯୋଜନା ଅନ୍ତର୍ଗତ ଦେବଗଡ଼ ଜିଲ୍ଲାର ପ୍ରାଥମିକ ଶିକ୍ଷକ ସଙ୍ଘ ପକ୍ଷରୁ ଚାରି ଦଫା ଦାବି ପୂରଣ ନେଇ ଏକ ବିରାଟ ସଭା ସହ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ପୂର୍ବାହ୍ନରେ ସ୍ଥାନୀୟ ଗୋପାଳଜି ମନ୍ଦିର ପ୍ରାଙ୍ଗଣରେ ସଙ୍ଘର ସଭାପତି ତ୍ରିନାଥ ଖୁଣ୍ଟିଆଙ୍କ ଅଧକ୍ଷତାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଦେବଗଡ଼ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ, ସମ୍ପାଦକ ଭକ୍ତବନ୍ଧୁ ବସନ୍ତରା, କାର୍ଯ୍ୟକାରୀ ସଭାପତି ମେଘନାଦ ରଞ୍ଜିତଙ୍କ ସମେତ ଜିଲ୍ଲାର ସମସ୍ତ ୩ଟି ବ୍ଲକ୍ ସଙ୍ଘର କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ରାଜ୍ୟର ପ୍ରାଥମିକ ଶିକ୍ଷକ ମାନଙ୍କୁ ସରକାର ଅଣଦେଖା କରୁଥିବା ଅଭିଯୋଗ କରି ନୂତନ ପେନସନ ନୀତିକୁ ପ୍ରତ୍ୟାହାର ସହ କେନ୍ଦ୍ରୀୟ କର୍ମଚାରୀଙ୍କ ଭଳି ସପ୍ତମ ବେତନ କମିଶନ ଆଧାରରେ ଦରମା ବୃଦ୍ଧି, ଏକ୍ସ କ୍ୟାଡର ଶିକ୍ଷକଙ୍କୁ ଏଲିମେଣ୍ଟାରୀ କ୍ୟାଡର ଘୋଷଣା ଆଦି ଦାବି କରିଥିଲେ।

ସାଧାରଣ ସଭା ପରେ ସଙ୍ଘର ସଦସ୍ୟ ମାନେ ଏକ ପଟୁଆରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଉପ ଜିଲ୍ଲାପାଳ ବ୍ରଜବନ୍ଧୁ ଭୋଇଙ୍କୁ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସଙ୍ଘର ଉପସଭାପତି ରାଜୀବ ଲୋଚନ ପ୍ରଧାନ, ବାଉରୀ ବନ୍ଧୁ ସାହୁ, ଟଙ୍କଧର ବାଣିଚୁଳ, ତପନ କୁମାର ନାୟକ, ଫଣୀନ୍ଦ୍ର କୁମାର ଧଳ, ମୋତିଲାଲ ବେହେରା, ଅଶୋକ କୁମାର ସାହୁ, ଅଞ୍ଜନ କୁମାର ପ୍ରଧାନ, ବିଜୟାନନ୍ଦ ବେହେରା, ଛତୁ କଲେତଙ୍କ ସମେତ ଶତାଧିକ ସଦସ୍ୟ ସଦସ୍ୟା ସକ୍ରିୟ ଅଂଶଗ୍ରହଣ କରିଥିବାବେଳେ ବିଜେପି ରାଜ୍ୟ ଯୁବ କାର୍ଯ୍ୟ କାରିଣୀ ସଦସ୍ୟ ସୁଧୀର କୁମାର ବ୍ରହ୍ମକ୍ଷ ଆନ୍ଦୋଳନରତ ଶିକ୍ଷକଙ୍କୁ ସମର୍ଥନ ଜଣାଇ ସେଠାରେ ବକ୍ତବ୍ୟ ରଖିଥିବା ଦେଖିବାକୁ ମିଳିଥିଲା।