ନୂଆଦିଲ୍ଲୀ,ଏଜେନ୍ସି: ଆସନ୍ତାକାଲି ଅର୍ଥାତ୍ ରବିବାରଠାରୁ ଦେଶବ୍ୟାପୀ ୧୮ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କଙ୍କୁ କୋଭିଡ୍ର ବୁଷ୍ଟର ଡୋଜ୍ ଦିଆଯିବ । ଏହି ପରିପ୍ରେକ୍ଷୀରେ ଦେଶର ଦୁଇ ପ୍ରମୁଖ ଟିକା ପ୍ରସ୍ତୁତକାରୀ କମ୍ପାନୀ ସେରମ୍ ଇନ୍ଷ୍ଟିଚ୍ୟୁଟ୍ (କୋଭିସିଲ୍ଡ) ଓ ଭାରତ ବାୟୋଟେକ୍ (କୋଭାକ୍ସିନ୍) ପକ୍ଷରୁ ଟିକାର ମୂଲ୍ୟକୁ ହ୍ରାସ କରାଯାଇଛି । ବର୍ତ୍ତମାନ ଏହି ଦୁଇଟି ଟିକାର ପ୍ରତ୍ୟେକ ଡୋଜ୍ ୨୨୫ ଟଙ୍କାରେ ଉପଲବ୍ଧ ହେବ ବୋଲି ଜଣାପଡିିଛି । ପୂର୍ବରୁ କୋଭିସିଲ୍ଡ ଡୋଜ୍ ପିଛା ୬୦୦ ଟଙ୍କାରେ ମିଳୁଥିବାବେଳେ କୋଭାକ୍ସିନ୍ ଡୋଜ୍ର ମୂଲ୍ୟ ୧୨୦୦ ଟଙ୍କା ଧାର୍ଯ୍ୟ କରାଯାଇଥିଲା । ତେବେ କେନ୍ଦ୍ର ସରକାରଙ୍କ ସହ ଆଲୋଚନା ପରେ ଦୁଇ କମ୍ପାନୀ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ଟିକାର ମୂଲ୍ୟ ଡୋଜ୍ ପିଛା ୨୨୫ ଟଙ୍କାକୁ ହ୍ରାସ କରିବାକୁ ଘୋଷଣା କରିଛନ୍ତି ।
ସରକାରୀ ହସ୍ପିଟାଲ ଏବଂ ସରକାରୀ ସ୍ୱୀକୃତିପ୍ରାପ୍ତ ଟିକାଦାନ କେନ୍ଦ୍ରରେ ଲୋକଙ୍କୁ ମାଗଣାରେ କୋଭିଡ୍ ଟିକା ଦିଆଯାଉଥିବାବେଳେ ଘରୋଇ ହସ୍ପିଟାଲ ପାଇଁ ଟିକାର ଏଭଳି ମୂଲ୍ୟ ଧାର୍ଯ୍ୟ କରାଯାଇଛି । ସରକାରଙ୍କ ଏତାଦୃଶ ନିଷ୍ପତ୍ତି ଯୋଗୁଁ ଲୋକେ ସହଜରେ ଘରୋଇ ହସ୍ପିଟାଲରେ କମ ମୂଲ୍ୟରେ ବୁଷ୍ଟର ଡୋଜ୍ ନେଇପାରିବେ ବୋଲି ସେରମ୍ ଇନ୍ଷ୍ଟିଚ୍ୟୁଟ୍ ସିଇଓ ଅଦର ପୁନାୱାଲା ଓ ଭାରତ ବାୟୋଟେକ୍ର ସହ-ପ୍ରତିଷ୍ଠାତା ସୁଚିତ୍ରା ଏଲ୍ଲା ସେମାନଙ୍କ ପ୍ରତିକ୍ରିୟାରେ କହିଛନ୍ତି । ସଂପୃକ୍ତ ବ୍ୟକ୍ତି ଯେଉଁ କମ୍ପାନୀର ଟିକାକୁ ପ୍ରଥମ ଓ ଦ୍ୱିତୀୟ ଡୋଜ୍ଭାବେ ନେଇଥିବେ, ସେମାନଙ୍କୁ ବୁଷ୍ଟର ଡୋଜ୍ଭାବେ ମଧ୍ୟ ସେହି ଟିକା ଦିଆଯିବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି । ତେବେ ଦ୍ୱିତୀୟ ଡୋଜ୍ ନେବାର ୯ ମାସ ପୂରିବାପରେ ହିଁ ସଂପୃକ୍ତ ବ୍ୟକ୍ତି ବୁଷ୍ଟର ଡୋଜ୍ ନେଇପାରିବେ ବୋଲି କୁହାଯାଇଛି ।