ମସ୍କୋ,ଏଜେନ୍ସି: ୟୁକ୍ରେନ୍ ବିରୋଧରେ ଯୁଦ୍ଧ ଘୋଷଣା କରିବା ପରଠାରୁ ରୁଷ୍ ରାଷ୍ଟ୍ରପତି ଭ୍ଲାଡିମୀର ପୁଟିନ୍ଙ୍କ ଉପରେ ଦେଶବାସୀଙ୍କ ଭରସା କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି । ନିକଟରେ ‘ରୁଷିଆନ୍ ପବ୍ଲିକ ଓପିନିୟନ ରିସର୍ଚ୍ଚ ସେଣ୍ଟର’ ପକ୍ଷରୁ କରାଯାଇଥିବା ସର୍ଭେରେ ୮୧ ପ୍ରତିଶତ ରୁଷ୍ ନାଗରିକ ପୁଟିନଙ୍କୁ ସମର୍ଥନ କରୁଥିବା ଜଣାପଡିଛି । ଫେବୃଆରୀ ୨୪ରେ ଯୁଦ୍ଧ ଆରମ୍ଭ ହେବା ସମୟରେ ପୁଟିନ୍ଙ୍କ ଜନସମର୍ଥନ ୬୭.୨ ପ୍ରତିଶତ ଥିବାବେଳେ ଇତିମଧ୍ୟରେ ଏହା ୮୧.୬ ପ୍ରତିଶତକୁ ବୃଦ୍ଧି ପାଇଛି । ପ୍ରଥମେ ଯେଉଁ ନାଗରିକମାନେ ପୁଟିନ୍ଙ୍କ ଯୁଦ୍ଧଖୋର ନୀତିକୁ ସମାଲୋଚନା କରୁଥିଲେ, ସେମାନେ ବର୍ତ୍ତମାନ ତାଙ୍କର ପ୍ରଶଂସକ ପାଲଟିଥିବା ସର୍ଭେରୁ ଜଣାପଡିଛି ।
ପୁଟିନ୍ଙ୍କ ସମାଲୋଚକଙ୍କ ସଂଖ୍ୟା ଇତିମଧ୍ୟରେ ୨୪.୪ରୁ ୧୨.୯ ପ୍ରତିଶତକୁ ହ୍ରାସ ପାଇଛି । ମାର୍ଚ୍ଚ ୨୮ରୁ ଏପ୍ରିଲ ୪ ମଧ୍ୟରେ ଏହି ସର୍ଭେ କରାଯାଇଥିଲା । ଇତିପୂର୍ବରୁ ଚଳିତବର୍ଷ ଫେବୃଆରୀରେ ଲେଭାଡା ସେଣ୍ଟର ପକ୍ଷରୁ କରାଯାଇଥିବା ସର୍ଭେରେ ମଧ୍ୟ ପୁଟିନ୍ଙ୍କ ଜନସମର୍ଥନ ୭୧ରୁ ୮୩ ପ୍ରତିଶତକୁ ବୃଦ୍ଧି ପାଇଛି । ରୁଷ୍ ବିରୋଧରେ ପାଶ୍ଚାତ୍ୟ ରାଷ୍ଟ୍ରଗୁଡିକ ଏକାଧିକ କଟକଣା ଲାଗୁ କରିଥିବାରୁ ଏହାର ପ୍ରଭାବ ପୁଟିନଙ୍କ ଲୋକପ୍ରିୟତା ଉପରେ ଅନୁକୂଳ ପ୍ରଭାବ ପକାଇଛି ।