ୟୁରୋପୀୟ ପରିଷଦ ଅଧ୍ୟକ୍ଷଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ, ଭାରତୀୟଙ୍କ ସୁରକ୍ଷା ନେଇ ହେଲା ଆଲୋଚନା

ନୂଆଦିଲ୍ଲୀ,ଏଜେନ୍ସି: ୟୁରୋପୀୟ ପରିଷଦର ଅଧ୍ୟକ୍ଷ ଚାର୍ଲ୍ସ ମିସେଲଙ୍କ ସହ କଥାହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ବର୍ତ୍ତମାନ ଜାରି ରହିଥିବା ୟୁକ୍ରେନ ସଙ୍କଟ ଓ ୟୁକ୍ରେନର ଖାର୍କିଭ ସହରରେ ଆଜି ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ପରେ ଭାରତୀୟଙ୍କ ସୁରକ୍ଷା ନେଇ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି।

ଏହି ଘଟଣାରେ ପରିଷଦ ଅଧ୍ୟକ୍ଷ ମିସେଲ ଦୁଃଖ ପ୍ରକାଶ କରିବା ସହ ସମବେଦନା ଜଣାଇଛନ୍ତି। ସେହିପରି ୟୁକ୍ରେନରେ ଋଷ ଯୁଦ୍ଧନୀତିକୁ ଉଲଙ୍ଘନ କରି ଆକ୍ରମଣ କରୁଥିବାରୁ ସାଧାରଣ ଜନତା ପ୍ରାଣ ହରାଉଛନ୍ତି ବୋଲି ସେ କହିଛନ୍ତି।

ତେବେ ଘଟଣା ପରେ ସେଠାରେ ଥିବା ଭାରତୀୟଙ୍କ ସୁରକ୍ଷାକୁ ନେଇ ଦେଶରେ ଉଦବେଗ ପ୍ରକାଶ ପାଇଥିବାବେଳେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଏହି ପ୍ରସଙ୍ଗରେ ୪ର୍ଥ ଉଚ୍ଚସ୍ତରୀୟ ବୈଠକରେ ସ୍ଥିତି ସମୀକ୍ଷା କରିଛନ୍ତି। ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ରହିଥିବା ‘ଅପରେସନ ଗଙ୍ଗା’କୁ ଯୁଦ୍ଧାକାଳୀନ ଭିତ୍ତିରେ ସଞ୍ଚାଳିତ କରି ଭାରତୀୟଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ମିଶନକୁ ନିଶ୍ଚିତ କରିବା ନେଇ ଗୁରୁତ୍ବ ପ୍ରକାଶ ପାଇଛି।