ରାଜ୍ୟବାସୀଙ୍କୁ ନୂଆଁଖାଇ ଜୁହାର ଜଣାଇଲେ ରାଷ୍ଟ୍ରପତି ସମେତ ବିଶିଷ୍ଟ ବ୍ୟକ୍ତି

ଭୁବନେଶ୍ବର,ଏନ୍ଏନ୍ଏସ୍: ଆଜି ପଶ୍ଚିମ ଓଡିଶାର ଗଣପର୍ବ ତଥା କୃଷିଭିତ୍ତିକ ପର୍ବ ନୂଆଁଖାଇ । ଏନେଇ ଉତ୍ସବମୁଖର ହୋଇଉଠିଛି ପୁରଠୁ ପଲ୍ଲୀ । ନୂଆଁଖାଇ ଅବସରରେ ରାଜ୍ୟବାସୀଙ୍କ ଟ୍ବିଟ ଯୋଗେ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଟ୍ବିଟ କରି ରାଷ୍ଟ୍ରପତି ନୂଆଖାଇ ଜୁହାର ଜଣାଇଛନ୍ତି, ନୂଆଁଖାଇ ଅବସରରେ ‘‘ମୁଁ ଓଡ଼ିଶାର ଭାଇ ଓ ଭଉଣୀ ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳର ଭାଇ ଓ ଭଉଣୀ ମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି । ସ୍ନେହ,ଶ୍ରଦ୍ଧା ଓ ସୌହାର୍ଦ୍ଦ୍ୟର ଏହି ଅନନ୍ୟ ଗଣପର୍ବ ସମସ୍ତଙ୍କ ପାଇଁ ସୁଖ,ଶାନ୍ତି ଓ ସମୃଦ୍ଧି ଆଣୁ,ଏହା ମୋର ଆନ୍ତରିକ କାମନା”।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟବାସୀଙ୍କୁ ନୂଆଁଖାଇର ଶୁଭେଚ୍ଛା ଜଣାଇଛନ୍ତି । ଏକ ଭିଡିଓ ବାର୍ତ୍ତା ଜରିଆରେ ସମସ୍ତଙ୍କୁ ନୂଆଁଖାଇର ଜୁହାର ଜଣାଇବା ପରେ ମା’ ସମଲେଶ୍ବରୀ ସମସ୍ତଙ୍କୁ ଭଲରେ ରଖନ୍ତୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ପ୍ରଧାନମନ୍ତ୍ରୀ ଟ୍ବିଟରେ ଶୁଭେଚ୍ଛା ଜଣାଇ କହିଛନ୍ତି ଯେ, ”ନୂଆଁଖାଇ ଜୁହାର୍,ସମସ୍ତଙ୍କୁ ଏହି ବିଶେଷ ଦିନର ହାର୍ଦ୍ଦିକ ଶୁଭେଚ୍ଛା । କଠିନ ପରିଶ୍ରମ କରି ଦେଶବାସୀଙ୍କୁ ଖାଦ୍ୟାନ୍ନ ଯୋଗାଉଥିବା ଆମର ଚାଷୀ ଭାଇ ମାନଙ୍କୁ କୃତଜ୍ଞତା ଜଣାଇବାର ଏହି ଅବସର । ଆମ ସମାଜ ପ୍ରଗତିର ନୂଆ ଉଚ୍ଚତାରେ ପହଞ୍ଚୁ । ସମସ୍ତଙ୍କ ସୁଖ, ସମୃଦ୍ଧି ଓ ଉତ୍ତମ ସ୍ୱାସ୍ଥ୍ୟ କାମନା କରୁଛି ବୋଲି କହିଛନ୍ତି ମୋଦୀ” ।

ନୂଆଁଖାଇ ଅବସରରେ ରାଜ୍ୟପାଳ ଗଣେଶୀ ଲାଲ ଶୁଭେଚ୍ଛା ଜଣାଇଛନ୍ତି। ସୁଖ, ଶାନ୍ତି, ମୈତ୍ରୀ ଓ ଆନନ୍ଦର ପରମ୍ପରା ଏବଂ ପର୍ବ ‘ନୂଆଁଖାଇ’ ପାଳନ ଅବସରରେ ମାନ୍ୟବର ରାଜ୍ୟପାଳ ଗଣେଶୀ ଲାଲ ସମଗ୍ର ରାଜ୍ୟ ବିଶେଷ କରି ପଶ୍ଚିମ ଓଡିଶାର ଭାଇ ଭଉଣୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ମଧ୍ୟ ନୁଆଁଖାଇ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି । ଟ୍ବିଟରରେ ଏକ ଭିଡିଓ ଜାରି କରି ନୂଆଁଖାଇ ଅବସରରେ ଜୁହାର କରିଛନ୍ତି, ”ସେ କହିଛନ୍ତି ଯେ, ‘‘ନୂଆଁଖାଇ ଜୁହାର୍ , ଏହି ଅବ୍‌ସର୍ ଥି ଗୁରୁଜନ, ଦାଦା- ଭାଏ ଆଉ ମାଁ- ବହେନ ମାନଙ୍କୁ ନୂଆଁଖାଇ ଜୁହାର୍ ଜନଉଁଛେଁ । ନୂଆଁଖାଇ ଆପଣ ମାନଙ୍କର ଜୀବନ ଥି ଆଉ ପରିବାର ଥି ଶାନ୍ତି, ସମୃଦ୍ଧି ସାଙ୍ଗେ ଖୁସି ଆଉ ଆନନ୍ଦ ଆନୁ” ।