ବିଧାନସଭା ନିର୍ବାଚନ ପାଇଁ ଉତ୍ତରାଖଣ୍ଡରେ ପ୍ରସ୍ତୁତି ଆରମ୍ଭ

ଡେରାଡୁନ,ଏଜେନ୍ସି: ଉତ୍ତରାଖଣ୍ଡରେ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। କରୋନା ମହାମାରୀ ମଧ୍ୟରେ ନିର୍ବାଚନ ହେବାକୁ ଥିବା ବେଳେ ସଂକ୍ରମଣକୁ ଦୃଷ୍ଟିରେ ରଖି ନିର୍ବାଚନ ଆୟୋଗ ବୁଥ ସଂଖ୍ୟା ବଢାଇବାକୁ ଯୋଜନା କରିଥିବା ଜଣାପଡିଛି।

ଯେଉଁ ବୁଥରେ ୧୦୦୦ରୁ ଅଧିକ ମତଦାତା ରହିଛନ୍ତି ସେହି ସ୍ଥାନରେ ଅଧିକ ବୁଥ ଖୋଲାଯିବ ବୋଲି ନିର୍ବାଚନ ଆୟୋଗ ସ୍ଥିର କରିଛନ୍ତି। ଆସନ୍ତା ବର୍ଷ ମାର୍ଚ୍ଚ ୧୮ ତାରିଖରେ ବିଧାନସଭାର କାର୍ଯ୍ୟକାଳ ଶେଷ ହେବାକୁ ଯାଉଥିବା ନିର୍ବାଚନ ଆୟୋଗ ମୁଖ୍ୟ ସୌଜନ୍ୟ କହିଛନ୍ତି। କରୋନା ମହାମାରୀର ଭୟାବହତାକୁ ଦେଖି ଆଗାମୀ ବର୍ଷ ଲାଗି ଏବେଠାରୁ ପ୍ରସ୍ତୁତିକୁ ଆରମ୍ଭ କରାଯାଉଛି ବୋଲି ସେ କହିଛନ୍ତି। ମହାମାରୀରେ ସୁଧାର ଆସିବା ପରେ ପ୍ରସ୍ତୁତି କାର୍ଯ୍ୟକୁ ଆହୁରି ଜୋରଦାର କରାଯିବ।

ଉତ୍ତରାଖଣ୍ଡରେ ମୋଟ ୧୧ ହଜାର ୨୦୦ଟି ବୁଥ ରହିଛି। ବୁଥଗୁଡିକୁ ଇଭିଏମ, ଭିଭିପାଟ ଓ ବାଲୋଟ ୟୁନିଟ୍ସ ପଠାଇବାକୁ ପୋଲର ଅଧିକାରୀଙ୍କୁ କୁହାଯାଇଛି। ଚଳିତ ବର୍ଷ ଅକ୍ଟୋବର ସୁଦ୍ଧା ମତଦାତାଙ୍କ ଭୋଟର ପ୍ରମାଣପତ୍ରକୁ ଅପଡେଟ କରିବା ପାଇଁ କୁହାଯାଇଛି। ବର୍ତ୍ତମାନ ରାଜ୍ୟରେ ମୋଟ ୭୯.୬୬ ଲକ୍ଷ ମତଦାତା ରହିଥିବା ବେଳେ ୮୨ ହଜାର ସର୍ଭିସ ଭୋଟର ରହିଛନ୍ତି ।