ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରସ୍ତୁତି ବୈଠକ

ଭୁବନେଶ୍ୱର,ଏନ୍ଏନ୍ଏସ୍: ବରଗଡ଼ ଜିଲ୍ଲାର ୧-ପଦ୍ମପୁର ବିଧାନସଭା ଆସନ ପାଇଁ ଆସନ୍ତା ଡିସେମ୍ବର ୫ ତାରିଖରେ ଉପନିର୍ବାଚନ ଅନୁଷ୍ଠିତ ହେବ ବୋଲି ନିର୍ବାଚନ ଆୟୋଗଙ୍କ ଦ୍ୱାରା ଜାରି କରାଯାଇଥିବା ପ୍ରେସ୍‌ ବିଜ୍ଞପ୍ତିରୁ ଜଣାପଡ଼ିଛି। ଏହି ପରିପ୍ରେକ୍ଷୀରେ ଆଜି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ଭିଡ଼ିଓ କନ୍‌ଫରେନ୍ସିଂ ମାଧ୍ୟମରେ ବରଗଡ଼ ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ, ଉପଜିଲ୍ଲାପାଳ ଏବଂ ଉପନିର୍ବାଚନ ସହ ଜଡ଼ିତ ଥିବା ବରିଷ୍ଠ ଅଧିକାରୀମାନଙ୍କ ସହ ଏକ ପ୍ରସ୍ତୁତି ବୈଠକ କରିଥିଲେ। ଉପନିର୍ବାଚନକୁ ପ୍ରଶାସନ ପାଖରେ ଖୁବ୍‌ କମ୍‌ ସମୟ ଥିବରୁ ନିର୍ବାଚନ ପରିଚାଳନା ଯୋଜନା ଖୁବ୍‌ଶୀଘ୍ର ପ୍ରସ୍ତୁତ କରି ରିଟର୍ଣ୍ଣିଂ ଅଧିକାରୀ, ସହକାରୀ ରିଟର୍ଣ୍ଣିଂ ଅଧିକାରୀ ଏବଂ ପୁଲିଙ୍ଗ୍‌ ଅଧିକାରୀମାନଙ୍କୁ ନିଯୁକ୍ତ କରିବା ସହ ସେମାନଙ୍କୁ ନିର୍ବାଚନ ପରିଚାଳନା ପାଇଁ ତାଲିମ ପ୍ରଦାନ କରିବା ସକାଶେ ବିହିତ କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟ ନିର୍ବାଚନ ଅଧିକାରୀ ପରାମର୍ଶ ଦେଇଛନ୍ତି।ପଦ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଉପନିର୍ବାଚନ ପାଇଁ ଥିବା ସମସ୍ତ ବୁଥ୍‌ଗୁଡ଼ିକୁ ସଂପୃକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଜରିଆରେ ପରିଦର୍ଶନ କରାଇ କାର୍ଯ୍ୟକ୍ଷମ କରାଇବାକୁ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳଙ୍କୁ ମୁଖ୍ୟ ନିର୍ବାଚନ ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି।

ବୁଥ୍‌ଗୁଡ଼ିକୁ ଥିବା ରାସ୍ତାଘାଟରେ ଯଦି କୌଣସି ଅସୁବିଧା ଥାଏ, ତେବେ ତାହାର ତୁରନ୍ତ ମରାମତି କରାଇବା ପାଇଁ ପ୍ରସ୍ତୁତି ବୈଠକରେ ପରାମର୍ଶ ଦିଆଯାଇଛି। ଉପନିର୍ବାଚନ ନିମନ୍ତେ ବରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ରିଟର୍ଣ୍ଣିଂ ଅଧିକାରୀ ତଥା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ ଖୋଲିବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ ପରାମର୍ଶ ଦେଇଛନ୍ତି। ଉପନିର୍ବାଚନ ପରିଚାଳନା ନିମନ୍ତେ ଆବଶ୍ୟକ ହେଉଥିବା ମାଜିଷ୍ଟ୍ରେଟ୍‌ ସେକଫର ସୁପରଭାଇଜର ତଥା ସେକଫର ମାଜିଷ୍ଟ୍ରେଟ୍‌ ନିଯୁକ୍ତି, ଉପନିର୍ବାଚନ ସମୟରେ ନିଯୁକ୍ତ ହେବାକୁ ଥିବା ସୁରକ୍ଷା କର୍ମଚାରୀମାନଙ୍କୁ ଚିହ୍ନଟ କରି ନିର୍ବାଚନ କାର୍ଯ୍ୟରେ ନିୟୋଜିତ କରିବା ପାଇଁ ଉଭୟ ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କୁ ମୁଖ୍ୟ ନିର୍ବାଚନ ଅଧିକାରୀ ପରାମର୍ଶ ଦେଇଛନ୍ତି।

ଉପନିର୍ବାଚନ କାର୍ଯ୍ୟକ୍ରମରେ ଆବଶ୍ୟକ ହେଉଥିବା ନିର୍ବାଚନ ସାମଗ୍ରୀଗୁଡ଼ିକୁ ମୁଖ୍ୟ ନିର୍ବାଚନ କାର୍ଯ୍ୟାଳୟରୁ ସଂଗ୍ରହ କରିବା ସହ ଅନ୍ୟାନ୍ୟ ସାମଗ୍ରୀଗୁଡ଼ିକୁ କିଣିବାକୁ ପରାମର୍ଶ ଦେଇଛନ୍ତି। ପଦ୍ମପୁର ଉପନିର୍ବାଚନ ପରିପ୍ରେକ୍ଷୀରେ ସମ୍ପୃକ୍ତ ନିର୍ବାଚନ ମଣ୍ଡଳୀର ଭୋଟର ତାଲିକାକୁ ଅପ୍‌ଡେଟ୍‌ କରିବାକୁ ମୁଖ୍ୟ ନିର୍ବାଚନ ଅଧିକାରୀ ପରାମର୍ଶ ଦେଇଛନ୍ତି। ପଦ୍ମପୁର ବିଧାନସଭା ଉପନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲର ଶେଷ ଦିନ ପର୍ଯ୍ୟନ୍ତ ଭୋଟର ତାଲିକା ଅପ୍‌ଡେଟ୍‌ କରାଯାଇପାରିବ। ଏଥି ନିମନ୍ତେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୁଖ୍ୟ ନିର୍ବାଚନ ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି।

ପୂର୍ବ ନିର୍ବାଚନଗୁଡ଼ିକର ମତଦାନ ହାରକୁ ପର୍ଯ୍ୟାଲୋଚନା କରି ଯେଉଁଠାରେ ମତଦାନ ହାର କମିଛି, ସେଠାରେ ସୁଇପ୍‌ (ଏସ୍‌ଡବ୍ଲୁଏପି) ମାଧ୍ୟମରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଗ୍ରହଣ କରିବାକୁ ମୁଖ୍ୟ ନିର୍ବାଚନ ଅଧିକାରୀ ଜିଲ୍ଲା ପ୍ରଶାସନକୁ ପରାମର୍ଶ ଦେଇଛନ୍ତି। ଏହି ଆଭାସୀ ବୈଠକରେ ବରଗଡ଼ ଜିଲ୍ଲାପାଳ ମନୀଷା ବାନାର୍ଜୀ, ବରଗଡ଼ ଆରକ୍ଷୀ ଅଧୀକ୍ଷକ, ଉପଜିଲ୍ଲାପାଳ ପଦ୍ମପୁର ସହ ବରଗଡ଼ ଜିଲ୍ଲାର ବରିଷ୍ଠ ଅଧିକାରୀମାନଙ୍କ ସହ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ସଂଘମିତ୍ରା ଶତପଥୀ, ଶତ୍ରୁଘ୍ନ କର, ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରମୋଦ କୁମାର ସାହୁ, ଆସିଷ୍ଟାଣ୍ଟ ଇଂଜିନିୟର ଇଦି୍ରଶ ଖାନ୍‌ ଓ ଅରବିନ୍ଦ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।