ପ୍ରୟାଗରାଜ-ଭୁବନେଶ୍ୱର ବିମାନ ସେବା ଆରମ୍ଭ

ଭୁବନେଶ୍ୱର,ଏନ୍ଏନ୍ଏସ୍: ପ୍ରୟାଗରାଜ-ଭୁବନେଶ୍ୱରକୁ ବିମାନ ସେବା ଆରମ୍ଭ। ଉଡାଣ ଯୋଜନାରେ ବିମାନ ଚଳାଚଳ ସେବା ଯୋଗାଇ ଦିଆଯାଇଛି। ଅପହଞ୍ଚ କ୍ଷେତ୍ରରେ ଲୋକଙ୍କୁ ବିମାନ ସେବା ଯୋଗାଇବାକୁ ଯାଇ ଉଡାଣ ଯୋଜନାରେ ଗତ ୩ ଦିନରେ ୨୨ଟି ମାର୍ଗରେ ବିମାନ ଚଳାଚଳ କରିଛି। ସେହିପରି ଉତ୍ତର-ପୂର୍ବାଞ୍ଚଳ କ୍ଷେତ୍ରରେ ୬ଟି ନୂଆ ମାର୍ଗରେ ବିମାନ ଚଳାଚଳ ଆରମ୍ଭ ହୋଇଛି।

ମଙ୍ଗଳବାର ମେଘାଳୟର ଶିଲଂରୁ ତ୍ରିପୁରାର ଅଗରତାଲାକୁ ପ୍ରଥମ ସିଧାସଳଖ ବିମାନ ଉଡ଼ାଣ ଶୁଭାରମ୍ଭ ହୋଇଛି। ଗତ ସୋମବାର ଶିଲଂରୁ ଆସାମର ସିଲଚରକୁ ବିମାନ ସେବା ଆରମ୍ଭ ହୋଇଥିଲା। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ, ଭାରତୀୟ ବିମାନ ବନ୍ଦର ପ୍ରାଧିକରଣ (ଏଏଆଇ)ର ବରିଷ୍ଠ ଅଧିକାରୀ ଏବଂ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାରମାନେ ଏହି ଅବସରରେ ଉପସ୍ଥିତ ଥିଲେ। ଉଡ଼ାନ ଯୋଜନାର ଲକ୍ଷ୍ୟ ହେଉଛି ଦେଶରେ ବିମାନ ମାର୍ଗକୁ ସୁଦୃଢ଼ କରିବା, ଆଞ୍ଚଳିକ ଆକାଶ ମାର୍ଗଗୁଡ଼ିକରେ ଶସ୍ତା, ଆର୍ଥିକ ଦୃଷ୍ଟିରୁ ସୁଲଭ ଏବଂ ଲାଭଜନକ ବିମାନ ଯାତ୍ରାର ସୁବିଧା ପ୍ରଦାନ କରିବା।

ବର୍ତ୍ତମାନ ସୁଦ୍ଧା, ଉଡ଼ାଣ ଯୋଜନା ଅନ୍ତର୍ଗତ ଦେଶର କୋଣଅନୁକୋଣରେ ୩୪୭ଟି ମାର୍ଗରେ, ୫୭ଟି ଆଦୌ କାର୍ଯ୍ୟକ୍ଷମ ହୋଇନଥିବା ଏବଂ ଆଂଶିକ କାର୍ଯ୍ୟକ୍ଷମ ହୋଇଥିବା ବିମାନ ବନ୍ଦର ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହୋଇଛି। ୧୮ଟି ନୂତନ ମାର୍ଗରେ ଉଡ଼ାଣ ଯୋଜନାରେ ବିମାନ ଚଳାଚଳ ଆରମ୍ଭ କରାଯାଇଛି। କାର୍ଯ୍ୟକ୍ଷମ ହୋଇଥିବା ମାର୍ଗଗୁଡ଼ିକ ହେଲା-ଗୋରଖପୁର (ଉତ୍ତରପ୍ରଦେଶ)ରୁ ଲକ୍ଷ୍ନୌ (ଉତ୍ତରପ୍ରଦେଶ)କୁ ଯାହାକି ରାଜ୍ୟ ସମର୍ଥିତ ଉଡ଼ାଣ ମାର୍ଗ, କୁର୍ଣ୍ଣୁଲ (ଆନ୍ଧ୍ର ପ୍ରଦେଶ)ରୁ ବେଙ୍ଗାଲୁରୁ (କର୍ଣ୍ଣାଟକ), ବିଶାଖାପାଟଣା (ଆନ୍ଧ୍ରପ୍ରଦେଶ) ଓ ଚେନ୍ନାଇ (ତାମିଲନାଡ଼ୁ)କୁ, ପ୍ରୟାଗରାଜ (ଉତ୍ତର ପ୍ରଦେଶ)ରୁ ଭୁବନେଶ୍ୱର (ଓଡ଼ିଶା) ଏବଂ ଭୋପାଳ (ମଧ୍ୟପ୍ରଦେଶ)କୁ। ଏହାବ୍ୟତୀତ ଦିବ୍ରୁଗଡ଼ (ଆସାମ)ରୁ ଦିମାପୁର (ନାଗାଲାଣ୍ଡ)କୁ ନୂଆ ବିମାନ ଯୋଗାଯୋଗ ସ୍ଥାପନ କରାଯାଇଥିଲା।