‘ବନ୍ଦେ ମାତରମ’ ଉଚ୍ଚାରଣ ନକଲେ, ଦେଶଛାଡ଼ି ପଳାଅ: କେନ୍ଦ୍ରମନ୍ତ୍ରୀ ଷଡ଼ଙ୍ଗୀ

ନୂଆଦିଲ୍ଲୀ,ଏଜେନ୍ସି: ‘ବନ୍ଦେ ମାତରମ୍’ ଉଚ୍ଚାରଣ କରୁ ନଥିବା ଲୋକମାନଙ୍କର ଏ ଦେଶରେ ରହିବାର ଅଧିକାର ନାହିଁ ବୋଲି ଶନିବାର ଗୁଜରାଟର ସୁରତରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ କହିଛନ୍ତି। ସେକହିଛନ୍ତି,‘ଏବେ ମୋଦୀ ସରକାର ନାଗରିକତା ସଂଶୋଧନ ଆଇନ କାର୍ଯ୍ୟକାରୀ କରିଛନ୍ତି। ୭୦ ବର୍ଷ ତଳେ ତତ୍କାଳୀନ କଂଗ୍ରେସ ସରକାର ଏହି ଆଇନ ପ୍ରଣୟନ କରିବାର ଥିଲା। ସେତେବେଳର କଂଗ୍ରେସ ସରକାର ଉକ୍ତ ଆଇନ ପ୍ରଣୟନ କରିଥିଲେ, ପାକିସ୍ତାନରେ ସଂଖ୍ୟାଲଘୁ ପରିବାରକୁ ନିର୍ଯାତନା ଓ ଅତ୍ୟାଚାରର ଶିକାର ହେବାକୁ ପଡ଼ି ନଥାନ୍ତା।

ଆମ ପୂର୍ବପୁରୁଷମାନେ ଯେଉଁ ଭୁଲ କରିଛନ୍ତି, ବିଭାଜନ ପରେ ଆମେମାନେ ପ୍ରାୟଶ୍ଚିତ କରୁଛୁ। ସ୍ୱାଧୀନତାର ୭୦ ବର୍ଷ ପରେ ନାଗରିକତା ସଂଶୋଧନ ଆଇନ ପ୍ରଣୟନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାସ୍ତବିକ ପ୍ରଶଂସାର ପାତ୍ର। କଂଗ୍ରେସ ପାପ କରିଛି, ଆମେମାନେ ପ୍ରାୟଶ୍ଚିତ କରୁଛୁ। ୧୯୪୭ରେ ଭାରତ ବିଭାଜନ ପରେ ସାମ୍ପ୍ରଦାୟିକ ଦଙ୍ଗାର ସୂତ୍ରପାତ ଘଟିଲା। କୌଣସି ରାଜନୈତିକ, ଅର୍ଥନୈତିକ, ଭୌଗୋଳିକ ଓ ଐତିହାସିକ କାରଣକୁ ନେଇ ଭାରତ ବିଭାଜନ କରାଯାଇ ନଥିଲା। କେବଳ ସାମ୍ପ୍ରଦାୟିକତାକୁ ଭିତ୍ତି କରି ଭାରତକୁ ଦୁଇଭାଗ କରି ଦିଆଗଲା। ଆମେମାନେ ମୁସଲିମଙ୍କ ରହିବାକୁ ମନାକରୁନୁ। ଆମେମାନେ ସେମାନଙ୍କ ସହିତ ହଜାର ହଜାର ବର୍ଷ ଧରି ରହିଆସୁଛୁ। କିନ୍ତୁ କିଏ ଆମକୁ ଦୁଇ ରାଷ୍ଟ୍ର ସୂତ୍ରୀ ପାଠ ପଢ଼ାଇଲା? ବିଭାଜନକୁ ଏଡ଼ାଇ ଦିଆଯାଇପାରିଲାନି। ଏ ଦେଶ କାହାର ପୈତୃକ ସମ୍ପତ୍ତି ନୁହେଁ। ମାଗଣା ଜଳ ଓ ବିଦ୍ୟୁତ୍ ଦେଶକୁ ବିକଶିତ କରିପାରିବନି।’

ନାଗରିକତା ସଂଶୋଧନ ଆଇନ ବିରୋଧରେ କଂଗ୍ରେସ ଦେଶବାସୀଙ୍କୁ ବିଭ୍ରାନ୍ତ କରୁଥିବାରୁ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ କ୍ଷୋଭ ପ୍ରକାଶ କରିଛନ୍ତି। ତାଙ୍କ ମତରେ ଦେଶରେ ନିଆଁ ଲଗାଉଥିବା ଲୋକମାନେ ଦେଶପ୍ରେମୀ ନୁହନ୍ତି। ଯେଉଁମାନେ ଭାରତର ସ୍ୱାଧୀନତାକୁ ମୁକ୍ତ କଣ୍ଠରେ ସ୍ୱୀକାର କରି ‘ବନ୍ଦେ ମାତରମ୍’ ଉଚ୍ଚାରଣ କରିବାକୁ ପଛାଉଛନ୍ତି, ସେମାନଙ୍କୁ ଏ ଦେଶରେ ରହିବାର ଅଧିକାର ନାହିଁ। ଦେଶର ଅର୍ଥନୀତି ପ୍ରତି ଗୁରୁତ୍ୱାରୋପ କରି ସେ କହିଛନ୍ତି, ପୂର୍ବ ପ୍ରଣୀତ ଅର୍ଥନୈତିକ ବ୍ୟବସ୍ଥା ଅନୁଯାୟୀ ଦେଶର ଅର୍ଥନୀତି ଅନ୍ଧକାର ଯୁଗ ଦେଇ ଗତି କରୁଥିଲା। ଏବେ ଦେଶ ସୁଦିନ ଆଡ଼କୁ ଗତି କରୁଛି। ଭାରତୀୟ ନୋଟ୍ ଉପରେ ମା’ ଲକ୍ଷ୍ମୀଙ୍କ ଫଟୋଛପାଇଲେ, ଦେଶର ଆର୍ଥିକ ମାନ୍ଦାବସ୍ଥା ଦୂରେଇଯିବ ବୋଲି ସେ ମନ୍ତବ୍ୟ ପ୍ରକାଶ କରିଛନ୍ତି।