ସରିଲା ରିମାଣ୍ଡ, ଜେଲ୍ ଗଲେ ପ୍ରତାପ; ସମ୍ପତ୍ତିର ହିସାବ ଦେଲା ଭିଜିଲାନ୍ସ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: କୁବେର ପ୍ରତାପ ସାମଲଙ୍କୁ ଦୁଇ ଦିନିଆ ରିମାଣ୍ଡରେ ନେଇ ଭିଜିଲାନ୍ସ ଅନେକ ତଥ୍ୟ ହାସଲ କରିଛି। ପୂର୍ବରୁ ୧୫କୋଟିର ଆୟ ବର୍ହିଭୂତ ସମ୍ପତ୍ତି ଠାବ ହୋଇଥିବାବେଳେ ପୁଣି ଅତିରିକ୍ତ ସମ୍ପତ୍ତିର ସୁରାକ୍ ମିଳିଛି। ଖାଲି ସମ୍ପତ୍ତି ନୁହେଁ ପ୍ରତାପ କେଉଁଠି ସବୁ ଟଙ୍କା ବିନିଯୋଗ କରିଥିଲେ, କାହାଠୁ କେତେ ଆଣିଥିଲେ, ତାଙ୍କୁ କିଏ ଦେଇଥିଲେ, ସେସମ୍ପର୍କରେ ସବୁ ଜଣାପଡ଼ିଯାଇଛି। ତେବେ ଅଧିକ ତଦନ୍ତ ପାଇଁ ଆଗାମୀ ଦିନରେ ପ୍ରତାପ ପୁଣି ରିମାଣ୍ଡରେ ଆସିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଗୁରୁବାର ପ୍ରତାପଙ୍କ ରିମାଣ୍ଡ ଅବଧି ଶେଷ ହେବାରୁ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଭିଜିଲାନ୍ସ ସ୍ୱତନ୍ତ୍ର କୋର୍ଟରେ ହାଜର କରାଯାଇଥିଲା। ପରେ ତାଙ୍କୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି।

ଓଡ଼ିଆ ଚଳଚ୍ଚିତ୍ର ନିର୍ମାଣ ପାଇଁ ପ୍ରତାପ ଅଣପଞ୍ଜିକୃତ ଭାବେ ତାଙ୍କ ଭଉଣୀ ନମିତା ଦାସ ଓ ପତ୍ନୀ ସସ୍ମିତା ସାମଲଙ୍କୁ ବ୍ୟବହାର କରିଥିଲେ। ଦୁହିଁଙ୍କୁ ପ୍ରଯୋଜକ ଆଖ୍ୟା ଦେଇ ରାଧାକ୍ରିଷ୍ଣା ପ୍ରଡ଼କ୍ସନ୍ସ ହାଉସ ମାଧ୍ୟମରେ ଦୁଇଟି ଓଡ଼ିଆ ଚଳଚ୍ଚିତ୍ର ୨୦୦୩ରେ ‘ନାରୀ ଆଖିରେ ନିଆଁ’, ୨୦୦୬ରେ ‘ବାଜି’ ନିର୍ମାଣ କରିଛନ୍ତି। ଏହି ଚଳଚ୍ଚିତ୍ରରେ ୫୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ନିବେଶ କରିଥିବାବେଳେ ବିପୁଳ ପରିମାଣରେ ଲାଭ ହୋଇଥିଲା। ଏହି ଦିଗକୁ ଧ୍ୟାନ ଦେଇ ଭିଜିଲାନ୍ସ ପ୍ରତାପଙ୍କ ପତ୍ନୀ ଓ ଭଉଣୀଙ୍କୁ ପଚରାଉଚରା କରିଛି।

ପ୍ରତାପ ଗିରଫ ହେବା ପରଠାରୁ ଏପର୍ଯ୍ୟନ୍ତ ଠାବ ହୋଇଥିବା ସମୁଦାୟ ସମ୍ପତ୍ତି ସମ୍ପର୍କରେ ଭିଜିଲାନ୍ସ ସବିଶେଷ ସୂଚନା ଦେଇଛି। ପ୍ରତାପଙ୍କ ମୋଟ୍ ୧୪ କୋଟି ୮୮ ଲକ୍ଷ ୯୧ ହଜାର ୧୯୪ ଟଙ୍କା ଆୟ ବର୍ହିଭୂତ ସମ୍ପତ୍ତି ବାହାରିଛି। ଯାହା ତାଙ୍କ ଆୟ ଠାରୁ ୧୦୨୨ ପ୍ରତିଶତ ଅଧିକ ବୋଲି ଜଣାପଡିଛି। ଏହି ସମ୍ପତି ମଧ୍ୟରେ ୨୫ଟି ପ୍ଲଟ୍‌ (୩ କୋଟି ୪୧ ଲକ୍ଷ ୫୮ ହଜାର ୪୧୨ ଟଙ୍କା), ୫ ମହଲା କୋଠା (୩ କୋଟି, ୮୯ ଲକ୍ଷ ୬୦ ହଜାର ଟଙ୍କା), ବ୍ୟାଙ୍କ ବାଲାନ୍ସ (୧କୋଟି ୬୧ ଲକ୍ଷ ୩୫ ହଜାର ୮୧୨ ଟଙ୍କା), ବୀମା (୫୭ ଲକ୍ଷ ୨ ହଜାର ୧୫୦ ଟଙ୍କା) ଠାବ କରାଯାଇଛି। ସେହିପରି ୧ କୋଟି ୭ ଲକ୍ଷ ୩୭ ହଜାର ଟଙ୍କା ସେୟାର ମାର୍କେଟ୍‌ରେ ନିବେଶ ହୋଇଛି। ପରିବାର ସଦସ୍ୟଙ୍କ ଆକାଉଣ୍ଟରେ ୧ କୋଟି ୨୦ ଲକ୍ଷ ସନ୍ଦେହଜନକ ଭାବେ ଡ଼ିପୋଜିଟ୍‌, ୧୩ ଲକ୍ଷ ୪୩ ହଜାର ଟଙ୍କାର କାର୍ ଆଦି ସବୁ ଠାବ ହୋଇଛି।