ବାଣପୁର ଉପକାରାଗାରରୁ ବାହାରିଲେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ

ଖୋର୍ଦ୍ଧା,ଏନ୍ଏନ୍ଏସ୍: ଜେଲ୍‌ରୁ ବାହାରିଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ସୁପ୍ରିମକୋର୍ଟ ଗତକାଲି ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ । ଏହାପରେ ସେ ଆଜି ବାଣପୁର ଉପକାରାଗାରରୁ ବାହାରିଛନ୍ତି । ଲୋକଙ୍କ ଉପରେ ଗାଡ଼ି ମଡ଼ାଇବା ଅଭିଯୋଗରେ ଗିରଫ ହୋଇ ଜେଲରେ ଥିଲେ ପ୍ରଶାନ୍ତ ଜଗଦ୍ଦେବ ।

ମଙ୍ଗଳବାର ଅପରାହ୍ନରେ ପ୍ରଶାନ୍ତ ଜେଲରୁ ବାହାରିଛନ୍ତି । ସୁପ୍ରିମକୋର୍ଟଙ୍କ ଜାମିନ ସର୍ତ୍ତ ମୁତାବକ ପ୍ରଶାନ୍ତ ଜଗଦ୍ଦେବ ବର୍ଷେ ଯାଏଁ ଚିଲିକା ନିର୍ବାଚନ ମଣ୍ଡଳୀକୁ ଯାଇ ପାରିବେ ନାହିଁ । ଯଦି ଯିବେ, ତେବେ ଜିଲ୍ଲାପାଳଙ୍କ ଅନୁମତି ନେଇ ଯିବେ । କିନ୍ତୁ ସାଙ୍ଗରେ ୫ରୁ ଅଧିକ ଲୋକଙ୍କୁ ନେଇ ଯାଇପାରିବେ ନାହିଁ ।

ବାଣପୁର ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ଲୋକଙ୍କ ଉପରେ ଗାଡ଼ି ମଡ଼ାଇଦେବା ଘଟଣାରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଜେଲ୍‌ରେ ଥିଲେ । ପ୍ରଥମେ ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ସେ ଅନ୍ତରୀଣ ଜାମିନ ପାଇଥିଲେ । ଏହାପରେ ହାଇକୋର୍ଟ ତାଙ୍କର ଜାମିନ ଆବେଦନକୁ ଖାରଜ କରିବା ସହିତ ବାଣପୁର ତଳକୋର୍ଟରେ ଆତ୍ମସମର୍ପଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ୍ କରି ସୁପ୍ରିମକୋର୍ଟରେ ପ୍ରଶାନ୍ତ ଜଗଦ୍ଦେବ ଜାମିନ ପାଇଁ ଆବେଦନ କରିଥିଲେ ।

ଜେଲ୍‌ରୁ ବାହାରିବା ପରେ ପ୍ରଶାନ୍ତ ବାଣପୁର ମା ଭଗବତୀଙ୍କୁ ଦର୍ଶନ କରିଛନ୍ତି । ବାଣପୁର କୋର୍ଟରେ ଓକିଲମାନଙ୍କ ଧର୍ମଘଟ ଜାରି ରହିଥିବା ବେଳେ ବିଧାୟକଙ୍କୁ ପିଆର୍‌ ବଣ୍ଡ୍‌ରେ ଜାମିନ ପ୍ରଦାନ କରିଛନ୍ତି ବାଣପୁର ଜେଏମ୍‌ଏଫ୍‌ସି କୋର୍ଟ । କୋର୍ଟକାର୍ଯ୍ୟ ସ୍ବାଭାବିକ ହେଲା ପରେ ବିଧାୟକଙ୍କୁ ପୁଣି ବାଣପୁର JMFC କୋର୍ଟରେ ହାଜର ହୋଇ ନିୟମିତ ଜାମିନ ନେବାକୁ ପଡ଼ିବ ।