ମହାମହିମଙ୍କୁ ଗାର୍ଡ ଅଫ ଅନରର ନେତୃତ୍ୱ ନେଇ ଚର୍ଚ୍ଚାରେ ଓଡିଆ କର୍ଣ୍ଣେଲ

ଭୁବନେଶ୍ବର,ଏନ୍ଏନ୍ଏସ୍: ରାଷ୍ଟ୍ରପତି ଭାବେ ଦାୟିତ୍ବ ନେଇ ସାରିଛନ୍ତି ଓଡିଶା ଝିଅ ଦ୍ରୌପଦୀ ମୁର୍ମୁ । ମ୍ୟାଡାମ୍ ପ୍ରେସିଡେଣ୍ଟ ଦ୍ରୌପଦୀ ମୁର୍ମୁଙ୍କୁ ନେଇ ରାଜ୍ୟବାସୀ ଗର୍ବିତ । ସାରା ରାଜ୍ୟରେ ଚାଲିଥିଲା ଉତ୍ସବ । ପାଳନ ହେଉଥିଲା ଖୁସିର ପର୍ବ । ହେଲେ ଆଉ ରାଜ୍ୟବାସୀଙ୍କ ପାଇଁ ଆଉ ଏକ ଖୁସି ଖବର । ଖୁସି ଖବର ହେଉଛି ଗତକାଲି ଶପଥ ଗ୍ରହଣ ଉତ୍ସବ ବେଳେ ମ୍ୟାଡାମ୍ ପ୍ରେସିଡେଣ୍ଟଙ୍କୁ ନ୍ୟାସନାଲ ସାଲ୍ୟୁଟ (ଜାତୀୟ ସାଲ୍ୟୁଟ/ରାଷ୍ଟ୍ରୀୟ ସଲାମୀ) ଦେବାବେଳେ କମାଣ୍ଡ ଦେଇଥିବା କର୍ଣ୍ଣେଲ ହେଉଛନ୍ତି ମଧ୍ୟ ଜଣେ ଓଡିଆ । ଆଉ ଏହି ଓଡିଆ ସେନା ଅଧିକାରୀ ହେଉଛନ୍ତି ଓଡିଆ ପୁଅ କର୍ଣ୍ଣେଲ ଷ୍ଟାଲିନ ମହାନ୍ତି ।

ଖାଲି ଏତିକି ନୁହେଁ ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ଦ୍ରୌପଦୀ ମୁର୍ମୁଙ୍କୁ ଦିଆଯାଇଥିବା ଗାର୍ଡ ଅଫ ଅନର ବେଳେ ମୁର୍ମୁଙ୍କ ପ୍ୟାରେଡ ଗାଡି ପଛରେ ଛିଡା ହୋଇଥିଲେ ଷ୍ଟାଲିନ ମହାନ୍ତି । ଯାହାକୁ ନେଇ ଏବେ ରାଜ୍ୟବାସୀ ବେଶ ଖୁସି ।

କଟକ ଜିଲ୍ଲା କଣ୍ଟାପଡା ଅଞ୍ଚଳର ଶଙ୍ଖୁଆ ଗାଁରେ କର୍ଣ୍ଣେଲ ଷ୍ଟାଲିନ ମହାନ୍ତି ଘର । ଆଉ ବଡ କଥା ହେଉଛି ରାଷ୍ଟ୍ରପତିଙ୍କ ଜିଲ୍ଲା ମୟୁରଭଞ୍ଜ ଉଦଳାରେ କର୍ଣ୍ଣେଲ ଷ୍ଟାଲିନ ଜନ୍ମ ହୋଇଥିବାବେଳେ ତାଙ୍କର ପ୍ରାଥମିକ ଶିକ୍ଷା ଉଦଳା ଅରୋବିନ୍ଦ ସ୍କୁଲରେ ଶେଷ ହୋଇଛି । ପିଲାଟି ଦିନରୁ ମେଧାବୀ ଛାତ୍ର ଥିବା ଷ୍ଟାଲିନ ୧୯୯୩ ରୁ ୨୦୦୦ ଯାଏଁ ଭୁବନେଶ୍ୱରର ସୈନିକ ସ୍କୁଲରେ ପାଠ ପଢିଥିଲେ । ପରେ ୨୦୦୪ ମସିହାରେ ଇଣ୍ଡିଆନ ମିଲିଟାରୀ ଏକାଡେମୀରୁ ଉତୀର୍ଣ୍ଣ ହୋଇଥିଲେ । ପରେ ସେ ଭାରତୀୟ ସେନାରେ ସାମିଲ ହୋଇଥିଲେ ।