ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ବଡ଼ମାଲ ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ବାହା ହେବାର ପ୍ରଲୋଭନ ଦେଖାଇ ୩ଲକ୍ଷ ଟଙ୍କା ଠକିଥିବା ଜଣେ ପୋର୍ଟାଲ ସାମ୍ବାଦିକକୁ ପୁଲିସ ଗିରଫ କରିଛି। ଗିରଫ ଯୁବକ ଜଣକ ସୁନ୍ଦରଗଡ଼ର ଦୀପକ ଦେହୁରୀ ବୋଲି ବଡ଼ମାଲ ଥାନାଧିକାରୀ ଅମିତାଭ ପଣ୍ଡା ସୂଚନା ଦେଇଛନ୍ତି। ମିଳିଥିବା ରିପୋର୍ଟ ମୁତାବକ, ଗତ ମେ’ ମାସରେ ଦୀପକ ବଡ଼ମାଲ ଥାନା ଅଞ୍ଚଳରେ ଜଣେ ଝିଅକୁ ପ୍ରେମ ଜାଲରେ ଫସାଇ ନିଜ ସହ ପଞ୍ଚପଡ଼ାଠାରେ ରଖିଥିଲେ। ପରେ ଯୁବତୀଙ୍କୁ ବାହା ହେବାର ପ୍ରଲୋଭନ ଦେଖାଇ ତାଙ୍କ ମା’ଙ୍କ ଆକାଉଣ୍ଟରେ ଥିବା ଟଙ୍କାକୁ ଦୀପକ କୌଶଳ କରି ନିଜ ପତ୍ନୀଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରି ଦେଇଥିଲେ। ତେବେ ଦୀପକ ବିବାହିତ ଏବଂ ମିଛ ପ୍ରତିଶ୍ରୁତି ଦେଇ ଟଙ୍କା ଠକି ନେଇଛି ବୋଲି ଯୁବତୀ ଜଣକ ଜାଣିବା ପରେ ବଡ଼ମାଲ ଥାନାରେ ଅଭିଯୋଗ କରିଥିଲେ। ଯୁବତୀଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ ତଦନ୍ତ କରିବା ସହ ଆଜି ଏହି ଯୁବକକୁ ସୁନ୍ଦରଗଡ଼ ଦର୍ଲିପାଲିଠାରୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହାସହ ଗିରଫ ଯୁବକଠାରୁ ଏକ ପୋର୍ଟାଲର ସାମ୍ବାଦିକ ପରିଚୟପତ୍ର ଓ ବିଭିନ୍ନ ସନ୍ଦିଗ୍ଧ କାଗଜପତ୍ର ଜବତ କରାଯାଇଥିବା ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି।