ରାଜନୀତି ଏବେ ହିଂସା

ଭୁବନେଶ୍ୱର,୧୦ା୧୨/ଏନ୍‌ଏନ୍‌ଏସ୍‌: ଧସ୍ତାଧସ୍ତି ସାଙ୍ଗକୁ ଅଣ୍ଡା ଓ ଟମାଟୋ ମାଡ଼। କିଏ ଚପଲ ଫିଙ୍ଗୁଛି, ପୁଣି କିଏ ବାଡ଼ି ବୁଲାଉଛି। ସେପଟେ ପୁଲିସ ସାଇରନ୍ ମୁଣ୍ଡ ବିନ୍ଧା କରିଦେଉଛି। ଖାଲି ଏତିକି ନୁହେଁ; ବ୍ଲାକ୍ କମାଣ୍ଡୋ ଓ ସଶସ୍ତ୍ରବାହିନୀର ଠେଙ୍ଗାମାଡ଼ରେ କେତେକଙ୍କ ପିଠି ଫାଟିଯାଇଛି। ଏଭଳି କିଛି ଦୃଶ୍ୟ ଶୁକ୍ରବାର ରାଜଧାନୀର ଲୋୟର ପିଏମ୍‌ଜିରେ ଦେଖିବାକୁ ମିଳିଛି। ବିଧାନସଭା ଘେରାଉ କରିବାକୁ ଆସି ଛାତ୍ର ଓ ଯୁବକ କଂଗ୍ରେସ ନିସ୍ତୁକ ମାଡ଼ ଖାଇବା ସହ ପୁଲିସ ଉପରକୁ ଆକ୍ରମଣ କରିଛନ୍ତି। ଏମିତିକି କଂଗ୍ରେସ ଭବନରେ ପଶି ପୁଲିସ ଭଙ୍ଗାରୁଜା କରିବା ସହ କର୍ମୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଛି। ଏଭଳି ଚିତ୍ର ଦେଖି ଆଜିର ରାଜନୀତିକୁ ଆକଳନ କରିବା କଷ୍ଟଭଳି ମନେହେଉଛି। ରାଜନୀତି ଏବେ ହିଂସାର ରୂପ ଧାରଣ କରିଥିବା ଦେଖିବାକୁ ମିଳିଛି।

ଶିକ୍ଷୟିତ୍ରୀ ମମିତା ମେହେରଙ୍କୁ ନ୍ୟାୟ ଦେବା ଦାବିରେ ଶୁକ୍ରବାର ପ୍ରଦେଶ କଂଗ୍ରେସର ଛାତ୍ର ଓ ଯୁବ ପକ୍ଷରୁ ଶତାଧିକ କର୍ମୀ ବିଧାନସଭା ଘେରାଉ କରିବାକୁ ଆସିଥିଲେ। ବିଧାନସଭା ଘେରାଉ ସମୟରେ କଂଗ୍ରେସ କର୍ମୀ ଓ ପୁଲିସ ମଧ୍ୟରେ ବଡ଼ଧରଣ ମୁହାଁମୁହିଁ ହୋଇଥିଲା। ଯାହାଫଳରେ ଲୋୟର ପିଏମ୍‌ଜି ଓ ମାଷ୍ଟରକ୍ୟାଣ୍ଟିନ୍ ଋଣକ୍ଷେତ୍ର ପାଲଟିଥିଲା। ଏଥିସହ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଗିରଫ ଓ ବହିଷ୍କାର ଏବଂ ହାଇକୋର୍ଟରେ କାର୍ଯ୍ୟରତ ବିଚାରପତିଙ୍କ ତତ୍ତ୍ୱାବଧାନରେ ଘଟଣାର ଏସ୍‌ଆଇଟି ତଦନ୍ତ ଦାବିରେ ଲୋୟର ପିଏମ୍‌ଜି ଠାରେ ଏକ ବିରାଟ ବିକ୍ଷୋଭ ସଭା ଅନୁଷ୍ଠିତ ହୋଇଥିଲା।

କଂଗ୍ରେସ କର୍ମୀମାନେ ପାର୍ଟି ଅଫିସରୁ ରାଲି କରି ବାହାରିଥିଲେ। ଏହାପରେ ଲୋୟର ପିଏମ୍‌ଜି ଦେଇ ବ୍ୟାରିକେଟ ଭାଙ୍ଗି ସେମାନେ ୧୪୪ ଲାଗିଥିବା ଗାନ୍ଧୀମାର୍ଗକୁ ପ୍ରବେଶ କରି ବିଧାନସଭା ଆଡ଼କୁ ଅଗ୍ରସର ହେଉଥିବାବେଳେ ପୁଲିସ ସେମାନଙ୍କୁ ଅଟକାଇଥିଲା। ଯାହାଫଳରେ ପୁଲିସ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ଜୋର୍‌ଦାର ଠେଲାପେଲା ଓ ଧସ୍ତାଧସ୍ତି ଦେଖିବାକୁ ମିଳିଥିଲା। ଏଭଳି ପରିସ୍ଥିତିକୁ ଦେଖି ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯାଇଥିଲା। ଏମିତିକି କଂଗ୍ରେସ କର୍ମୀମାନେ ପୁଲିସ ଉପରକୁ ଢ଼େଲାପଥର, ଚପଲ, ଟମାଟୋ, ଅଣ୍ଡା ଓ ଠେଙ୍ଗା ମାଡ଼ କରିଥିଲେ। ଯାହାଫଳରେ ପୁଲିସ ଆତ୍ମରକ୍ଷା କରିବାକୁ ଯାଇ ସେମାନଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିଲା। ଖାଲି ଏତିକି ନୁହେଁ, କଂଗ୍ରେସର ଜଣେ କର୍ମୀ ପୁଲିସ ବସ୍‌ର ଦୁଇଟି ଚକରେ ନିଆଁ ବି ଲଗାଇଦେଇଥିଲେ।

ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ ଆନ୍ଦୋଳନକାରୀମାନଙ୍କୁ ଘଉଡ଼ାଇବା ସହ ଲାଠି ଚାଳଣା ଆରମ୍ଭ କରିଦେଇଥିଲା। ଲାଠିମାଡ କାରଣରୁ ଆନ୍ଦୋଳନକାରୀମାନେ ଅଧିକ ଉତ୍ତ୍ୟକ୍ତ ହୋଇ ଢ଼େଲା ପଥର ମାଡ କରିଥିଲେ। ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଉଥିବା ଦେଖି ପୁଲିସ ଲୋୟର ପିଏମ୍‌ଜିରୁ ମାଷ୍ଟରକ୍ୟାଣ୍ଟିନ ଛକ ପର୍ଯ୍ୟନ୍ତ ଆନ୍ଦୋଳନକାରୀମାନଙ୍କୁ ଗୋଡାଇ ଗୋଡାଇ ପିଟିଥିଲା। ପ୍ରାୟ ଦୁଇଘଣ୍ଟା ଧରି ପୁଲିସ ଲାଠି ମାଡ଼ ଯୋଗୁଁ ଆନ୍ଦୋଳନକାରୀମାନେ ଛତ୍ରଭଙ୍ଗ ଦେଇଥିଲେ। ଆନ୍ଦୋଳନକାରୀ ଓ ପୁଲିସ ମଧ୍ୟରେ ଖଣ୍ଡଯୁଦ୍ଧରେ କେତେକ ପୁଲିସ ଓ କଂଗ୍ରେସକର୍ମୀ ଆହତ ହୋଇଛନ୍ତି।

ଉଲ୍ଲେଖଯୋଗ୍ୟ, ମହାଲିଙ୍ଗ କଲେଜ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଘଟଣାକୁ ନେଇ ବିଧାନସଭାର ଅଧିବେସନ ସୁରୁଖୁରୁରେ ଚାଲିପାରିଲାନାହିଁ। ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି କରି ବିରୋଧୀ ବିଜେପି ଓ କଂଗ୍ରେସ ବିଧାନସଭାରେ ହୋହଲ୍ଲା କରିଥିଲେ। ଘଟଣାର ଏସ୍‌ଆଇଟି ତଦନ୍ତ ଦାବି କରି ଶୁକ୍ରବାର କଂଗ୍ରେସ ପକ୍ଷରୁ ଛାତ୍ର ସଭାପତି ୟାସିର୍ ନୱାଜ୍‌ଙ୍କ ନେତୃତ୍ୱରେ ଏକ ବିଶାଳ ରାଲି କଂଗ୍ରେସ ଭବନରୁ ବାହାରି ବିଧାନସଭା ଅଭିମୁଖେ ଯାଇଥିଲା। ଏତିକିବେଳେ କଂଗ୍ରେସକର୍ମୀ ଓ ପୁଲିସ ମୁହାଁମୁହିଁ ହେବାରୁ ଲୋୟର ପିଏମ୍‌ଜି ରଣକ୍ଷେତ୍ର ପାଲଟିଥିଲା।

କଂଗ୍ରେସ ଭବନରେ ପଶି ପିଟିଲେ
କଂଗ୍ରେସ କର୍ମୀ ପୁଲିସ ଉପରକୁ ଅଣ୍ଡା, ଚପଲ ମାଡ଼ କଲେ। ଠେଙ୍ଗାରେ ପୁଲିସକୁ ପିଟିବାକୁ ଉଦ୍ୟମ କଲେ। ଏମିତିକି ୧୪୪ ଧାରା ଲାଗିଥିବା ଅଞ୍ଚଳକୁ ବାରିକେଡ ଭାଙ୍ଗି ପଶିବାରୁ ପୁଲିସ ଅଟକାଇଥିଲା। ଏତିକିବେଳେ କେତେକ କର୍ମୀ ପୁଲିସକୁ ମୁହାଁମୁହିଁ ଆକ୍ରମଣ କରିଥିଲେ। ଏହାପରେ ସେମାନେ କଂଗ୍ରେସ ଭବନକୁ ଦୌଡ଼ିଯାଇ ପଶିଯାଇଥିଲେ। ପୁଲିସ ସେମାନଙ୍କୁ ଧରିବାକୁ ଯାଇ କଂଗ୍ରେସ ଭବନରେ ପଶି ଭଙ୍ଗାରୁଜା କରିଥିଲା। ସେଠାରେ ଉପସ୍ଥିିତ ଥିବା କିଛି କଂଗ୍ରେସ ନେତା ଓ ଛାତ୍ର କଂଗ୍ରେସ ନେତୃବର୍ଗଙ୍କୁ ଅତି ଅମାନୁସିକ ଭାବରେ ଆକ୍ରମଣ କରିଥିଲେ। କଂଗ୍ରେସ ଭବନର ବିଭିନ୍ନ ରୁମ୍‌ରେ ପଶି ମହିଳା କଂଗ୍ରେସ କର୍ମୀଙ୍କ ଉପରେ ମଧ୍ୟ ଆକ୍ରମଣ ହୋଇଛି। ଏଥିରେ ଜଣେ ମହିଳାଙ୍କ ହାତରେ ଗଭୀର ଆଘାତ ଲାଗିଛି।

ପୁଲିସ ଭ୍ୟାନରେ ଲଗାଇଲେ ନିଆଁ
କଂଗ୍ରେସ କର୍ମୀ ଉତ୍ତେଜିତ ହୋଇପଡ଼ିଥିଲେ। ପୁଲିସ ଉପରେ ରାଗ ସୁଝାଇବାକୁ ଯୋଜନା କରିଥିଲେ। ଏନେଇ କଂଗ୍ରେସ କର୍ମୀମାନେ ପୁଲିସ ବସ୍‌ର ଚକାରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇଦେଇଥିଲେ । ଠିକ୍ ସମୟରେ ପୁଲିସ ପହଞ୍ଚି ଭ୍ୟାନ୍‌ରୁ ନିଆଁ ଲିଭାଇଥିଲା। ନଚେତ୍ ବଡ଼ଧରଣର ଅଘଟଣ ଘଟିଯାଇଥାନ୍ତା। ଏହି ନିଆଁ ଲିଭାଇବା ବେଳେ ଜଣେ ପୁଲିସ କର୍ମଚାରୀଙ୍କ ହାତ ପୋଡ଼ିଯାଇଥିବା ଡ଼ିିସିପି କହିଛନ୍ତି। ଏହାସହ ନିଆଁ ଲଗାଇଥିବା ଯୁବକଙ୍କୁ ଖୋଜାଚାଲିଛି। ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ପୁଲିସ କହିଛି।

ଅଟକାଇଦେଲେ ଜନପଥ
କଂଗ୍ରେସ ଭବନରେ ପ୍ରବେଶ କରି ପୁଲିସ ଭଙ୍ଗାରୁଜା କରିଥିଲା। ଏମିତିକି କର୍ମୀଙ୍କୁ ଗୋଡ଼ାଇ ଗୋଡ଼ାଇ ଠେଙ୍ଗାରେ ପିଟିଥିଲା। ଏହାକୁ ନେଇ ଛାତ୍ର କଂଗ୍ରେସ ପକ୍ଷରୁ ମାଷ୍ଟରକ୍ୟାଣ୍ଟିନ ରାସ୍ତା ଅବରୋଧ କରାଯାଇଥିଲା। ପାଖାପାଖି ଦେଢ଼ଘଣ୍ଟାରୁ ଦୁଇଘଣ୍ଟା ପର୍ଯ୍ୟନ୍ତ ଜନପଥ ଅସ୍ଥାୟୀ ଭାବେ ଅଚଳ ପାଲଟିଥିଲା। ବସ୍‌, କାର୍‌, ବାଇକ୍ ଧାଡ଼ିକି ଧାଡ଼ି ଛିଡ଼ା ହୋଇଥିଲା। ଯାହାଫଳରେ ପୁରା ରାସ୍ତା ଜାମ୍ ହୋଇଯାଇଥିଲା। କିଏ ଘରକୁ ତ ପୁଣି କିଏ ଦପ୍ତରକୁ ଯିବାକୁ ଅଟକି ରହିଥିଲେ। ସନ୍ଧ୍ୟା ପୂର୍ବରୁ ଭୁବନେଶ୍ୱର ଡିସିପି ଆକ୍ରମଣ ଘଟଣାରେ ଦୁଃଖ ପ୍ରକାଶ କରିବା ସହ ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନର ନିରପେକ୍ଷ ତଦନ୍ତ ଏବଂ ୭ଦିନ ଭିତରେ ବିହୀତ ପଦକ୍ଷେପ ନେବାପାଇଁ ପ୍ରତିଶ୍ରୁତି ଦେବାପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।

ପିଟିକି ମୁଣ୍ଡ ଫଟାଇଲେ
ବିକ୍ଷୋଭକାରୀଙ୍କୁ ସାମ୍ନା କରିବାକୁ ପୁରା ପ୍ରସ୍ତୁତ ଥିଲା ପୁଲିସ। ପାଦେପାଦେ ସତର୍କ ରହିବା ସହ ଆଇନଶୃଙ୍ଖଳା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା। ଏତିକିବେଳେ ଧସ୍ତାଧସ୍ତି ବେଳେ ପୁଲିସ ଲାଠିମାଡ଼ରେ ଜଣେ ଛାତ୍ରକଂଗ୍ରେସ କର୍ମୀଙ୍କ ମୁଣ୍ଡ ଫାଟିଯାଇଥିଲା। ଯାହାଫଳରେ ସମ୍ପୃକ୍ତ ଯୁବକଙ୍କ ମୁଣ୍ଡରୁ ପ୍ରଚୁର ରକ୍ତସ୍ରାବ ହୋଇଥିଲା। ଏହାଦେଖି ପୁଲିସ ଯୁବକଙ୍କୁ ଟେକିନେଇ ହସ୍ପିଟାଲ ନେଇଥିଲେ। ପରେ ଯୁବକ ଜଣକ ଚିକିତ୍ସିତ ହୋଇସାରି ପୁଣି ରାସ୍ତାକୁ ଆସି ବିକ୍ଷୋଭ କରିଥିଲେ। ତେବେ ପୁଲିସର ଏଭଳି ହିଂସାତ୍ମକ ଆଚରଣକୁ କଂଗ୍ରେସ ପକ୍ଷରୁ ଦୃଢ଼ ନିନ୍ଦା କରାଯାଇଛି।

ବାଇକ୍ ଧରି ମାଡ଼ିଆସିଲେ
ଛାତ୍ର କଂଗ୍ରେସର କର୍ମୀମାନେ ଲୋୟର ପିଏମ୍‌ଜିରେ ବାଇକ୍ ରାଲି କରିଥିଲେ। ବିନା ହେଲମେଟ୍‌ରେ ଯୁବକମାନେ ବୁଲିବା ସହ ହର୍ଣ୍ଣ ବଜାଇ ରାଜରାସ୍ତା କମ୍ପାଇଥିଲେ। ବାଇକ୍‌ରେ ସେମାନେ ବିଧାନସଭା ଆଡ଼କୁ ଯିବାବେଳେ ପୁଲିସ ଅଟକାଇଥିଲା। ଏହାପରେ ସେମାନେ ବାଇକ୍ ରଖିଦେଇ ଚାଲିଚାଲି ବିଧାନସଭା ମୁହାଁ ହୋଇଥିଲେ।