କୋଟିଆ ପଞ୍ଚାୟତ ନିର୍ବାଚନରେ ସର୍ବଦଳୀୟ କମିଟି ଦେବ ଏକକ ପ୍ରାର୍ଥୀ ଜିଲ୍ଲା By Nitidin On Jan 20, 2022 Share କୋଟିଆ,ଏନ୍ଏନ୍ଏସ୍: ଅଞ୍ଚଳର ସର୍ବାଙ୍ଗୀନ ଉନ୍ନତି ପାଇଁ ପାର୍ଟି ଠାରୁ ମାଟି ଗୁରୁତ୍ବପୂର୍ଣ୍ଣ। ଆଜି(ଗୁରୁବାର) ବିଜେଡି, ବିଜେପି ଓ କଂଗ୍ରେସ ଦଳର ବରିଷ୍ଠ ନେତା ମିଶି ଏହାକୁ ପ୍ରମାଣିତ କରିଛନ୍ତି। କୋଟିଆ ପଞ୍ଚାୟତରେ ୱାର୍ଡମେମ୍ବର ଠାରୁ ଆରମ୍ଭ କରି ଜିଲ୍ଲାପରିଷଦ ସଦସ୍ୟ ପର୍ଯ୍ୟନ୍ତ ସମସ୍ତ ପ୍ରାର୍ଥୀ ସର୍ବଦଳୀୟ କମିଟି ସମର୍ଥିତ ପ୍ରାର୍ଥୀ ଭାବେ ମନୋନୀତ ହେବେ ଓ ତାଙ୍କୁ କୌଣସି ଏକ ନିର୍ଦ୍ଦିଷ୍ଟ ଦଳର ସମର୍ଥିତ ପ୍ରାର୍ଥୀ ଭାବେ ଗଣାଯିବ ନାହିଁ। କୋରାପୁଟ ଜିଲ୍ଲାରେ ଓଡିଶା ଓ ଆନ୍ଧ୍ର ସୀମାନ୍ତର କୋଟିଆରେ ପଞ୍ଚାୟତ ନିର୍ବାଚନ ନେଇ ୩ ପ୍ରମୁଖ ଦଳକୁ ନେଇ ଆଜି କୋରାପୁଟରେ ହୋଇଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। କୋଟିଆ ପଞ୍ଚାୟତ ଅନ୍ତର୍ଗତ ଥିବା ଜିଲ୍ଲା ପରିଷଦ ଜୋନ ୧ ରେ ମିଳିତ ପ୍ରାର୍ଥୀ ଦେବା ନେଇ ନିଷ୍ପତ୍ତି ନିଆଯାଇଥିବା ଏହି ଆଲୋଚନାରେ ଭାଗ ନେଇଥିବା ନେତୃବୃନ୍ଦ ସୂଚନା ଦେଇଛନ୍ତି। ବିଜେପି ନେତା ଜୟରାମ ପାଙ୍ଗୀ, ବିଜେଡି ଜିଲ୍ଲା ସଭାପତି ଇଶ୍ବର ପାଣିଗ୍ରାହୀ, କଂଗ୍ରେସ ଜିଲ୍ଲା ସଭାନେତ୍ରୀ ମିନାକ୍ଷୀ ବାହିନୀପତି ଉପସ୍ଥିତ ରହି ଏହି ଆଲୋଚନାକୁ ଆଗକୁ ବଢ଼ାଇଥିଲେ। ପଟାଙ୍ଗୀ ବିଧାୟକ ପ୍ରିତମ ପାଢ଼ୀ, କୋରାପୁଟ ବିଧାୟକ ରଘୁରାମ ପଡାଲ ଓ ପୁର୍ବତନ ବିଧାୟକ ରାମ କାଡାମ ମଧ୍ୟ ଉପସ୍ଥିତ ରହି ନିଜ ନିଜ ମତ ଉପସ୍ଥାପନ କରିଥିଲେ। ଏହି ପଞ୍ଚାୟତର ୫୧୯୭ ଜଣ ଭୋଟର ରହିଥିବା ବେଳେ ଜିଲ୍ଲା ପରିଷଦ ଆସନଟି ଅନୁସୂଚୀତ ଜନଜାତି ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ଓଡ଼ିଶାରେ ପଞ୍ଚାୟତ ନିର୍ବାଚନ କରିବା ପାଇଁ ସରକାର ସଜବାଜ ହେଉଛନ୍ତି। ଓଡିଶା ଓ ଆନ୍ଧ୍ରପ୍ରଦେଶର ସୀମାରେ ଥିବା କୋରାପୁଟ ଜିଲ୍ଲାର କୋଟିଆ ପଞ୍ଚାୟତରେ ବିଗତ ଦିନରେ ଫାଟୁସିନେରୀରେ ଆନ୍ଧ୍ର ସରକାର ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ କରିଥିବା ସହ ତଳ ଗଞ୍ଜେଇପଦରକୁ ମଧ୍ୟ ଏକ ପଞ୍ଚାୟତର ମାନ୍ୟତା ଦେଇଥିଲା। ଏଥିସହ ସହମତିରେ ଜଣକୁ ଆନ୍ଧ୍ରର ସରପଞ୍ଚ ଭାବେ ମନୋନୀତ କରିଥିଲା। ତେବେ ଓଡିଶା ସରକାର କୋଟିଆ ପଞ୍ଚାୟତର ସମସ୍ତ ୨୧ଟି ଗ୍ରାମରେ ପଞ୍ଚାୟତ ନିର୍ବାଚନ କରିବା ପାଇଁ ଅଣ୍ଟା ଭିଡିଛନ୍ତି। ତେବେ ଅଞ୍ଚଳବାସୀଙ୍କ ମଧ୍ୟରେ ଗତ ଦିନମାନଙ୍କରେ ଆନ୍ଧ୍ରକୁ ସମର୍ଥନ କରୁଥିବା କିଛି ବ୍ୟକ୍ତି ବିରୋଧାଭାସ ସୃଷ୍ଟି କରିବା ପାଇଁ ଷଡଯନ୍ତ୍ର କରିବାର ପ୍ରୟାସ କରିଥିଲେ। ତେଣୁ କୋରାପୁଟ ଜିଲ୍ଲାରେ ସର୍ବଦଳୀୟ କମିଟି ତରଫରୁ ଜଣେ ପ୍ରାର୍ଥୀଙ୍କୁ ମନୋନୀତ କରାଯିବା ପାଇଁ ନିଆଯାଇଛି। ଏହି ନିଷ୍ପତ୍ତି ନିର୍ବାଚନ ଇତିହାସରେ ଏକ ନୂତନ ଦିଗ ପ୍ରଦର୍ଶନ କରିବ ବୋଲି ରାଜନୈତିକ ସମୀକ୍ଷକ ମାନେ ଆଶାପୋଷଣ କରିଛନ୍ତି। Share