ବଲାଙ୍ଗୀର,ଏନ୍ଏନ୍ଏସ୍ : ମାତ୍ରାଧିକ ବଳ ପ୍ରୟୋଗ କରିବା ଆଜି ବଲାଙ୍ଗୀରରେ ଦୁଇଜଣ ପୁଲିସ କର୍ମଚାରୀଙ୍କୁ ମହଙ୍ଗା ପଡିଛି । ମାତ୍ରାଧିକ ବଳ ପ୍ରୟୋଗ ନେଇ ଅଭିଯୋଗ ହେବା ପରେ ଏସପି ସନ୍ଦୀପ ମଡକର ଦୁଇଜଣ ପୁଲିସ କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି । ନିଲମ୍ବିତ ହୋଇଥିବା ପୁଲିସ କର୍ମଚାରୀ ହେଲେ ସୂର୍ଯ୍ୟକାନ୍ତ ସାମନ୍ତରାୟ ଓ ପ୍ରଦ୍ୟୁମ୍ନ ସାମଲ ।
ମିଳିଥିବା ସୂଚନା ଅନୁଯାୟୀ, କରୋନ ଭୟାବହତାକୁ ନେଇ ସମଗ୍ର ଦେଶରେ ଲକ୍ ଡାଉନ ଜାରି ରହିଛିି । ଲକ୍ ଡାଉନ ସମୟରେ ଲୋକଙ୍କୁ ଘରେ ରହିବା ପାଇଁ କୁହାଯାଇଛି । ତେବେ ବଲାଙ୍ଗୀରରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ତଥା ପନିପରିବା କିଣିବା ପାଇଁ ସକାଳ ୭ ରୁ ୧୦ ଓ ଅପହରାହ୍ନ ୩ ରୁ ୬ ପର୍ଯ୍ୟନ୍ତ ଛାଡ ଦିଆଯାଇଛି । କିନ୍ତୁ କିଛି ଯୁବକ ଏହି ଛାଡ ସମୟ ବ୍ୟତୀତ ମଧ୍ୟ ଘରୁ ବାହାରୁଛନ୍ତି ଓ ବୁଲାବୁଲି କରୁଛନ୍ତି । ଏଭଳି ଏକ ଘଟଣା ଗତକାଲି ରାତିରେ ଘଟିଥିଲା । ଦୁଇଜଣ ଯୁବକ ବିନା କାରଣରେ ବାଇକ ନେଇ ରାତିରେ ବୁଲାବୁଲି କରୁଥିଲେ । ବୁଲାବୁଲି କରୁଥିବା ସମୟରେ ସେମାନେ ଏହି ପୁଲିସ କର୍ମଚାରୀଙ୍କ ହାବୁଡରେ ପଡି ଯାଇଥିଲେ ।
ପୁଲିସ କର୍ମଚାରୀମାନେ ସେମାନଙ୍କୁ ମାଡ ମାରିବା ସହିତ ରାସ୍ତାରେ ଆଣ୍ଡେଇ ଚଳାଇଥିଲେ । ଏଭଳି କି ନାନା ପ୍ରକାର ଭୟଭୀତ କରିବା ସହିତ ସେମାନଙ୍କ ଭିଡିଓ ଉତୋଳନ କରିଥିବା ନେଇ ଅଭିଯୋଗ ହୋଇଛି । ଘଟଣା ସମ୍ପର୍କରେ ଆଜି ଟାଉନ ଥାନାରେ ଅଭିଯୋଗ କରିବା ପରେ ବଲାଙ୍ଗୀର ଏସପି ଦୁଇଜଣ ପୁଲିସ କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି । ପୁଲିସ ମାଡ ମାରିବା ବଦଳରେ ଲୋକଙ୍କ ସଚେତନ କରୁ ଓ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ବୋଲି ଜନସାଧାରଣରେ ଦାବି ହେଉଛି ।