କୁଆଁପାଳ,ଏନ୍ଏନ୍ଏସ୍: ମାହାଙ୍ଗା ଥାନାଠାରୁ ୫୦୦ ମିଟର ଦୂରରେ ଏକ ହତ୍ୟାକାଣ୍ଡ ଘଟିଥିବା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି। ମାହାଙ୍ଗା ଥାନା ଅନ୍ତର୍ଗତ ପଦନଦାସପୁର ଗ୍ରାମର ମନୋରମା ସାହୁ ନାମ୍ନୀ ଜନୈକା ୫୦ ବର୍ଷିୟା ମହିଳାଙ୍କୁ ପଥରରେ ଛେଛି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମହିଳାଙ୍କ ଦୁଇ ପୁତୁରା ସନ୍ତୋଷ ସାହୁ ଓ ହରେକୃଷ୍ଣ ସାହୁଙ୍କୁ ଏହି ହତ୍ୟାକାଣ୍ଡରେ ପୁଲିସ ଉଠାଇ ନେଇଛି।
ସାଇଣ୍ଟିଫିକ୍ ଟିମ୍ ସହ ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ତଦନ୍ତ ଜାରି ରଖିଛନ୍ତି। ତେବେ ସ୍ପଷ୍ଟ ଦିବାଲୋକରେ ଏଭଳି ନୃଶଂସ ହତ୍ୟାକାଣ୍ଡ ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି। କାହିଁକି କେଉଁ ପରିସ୍ଥିତିରେ ଏଭଳି ଜଘନ୍ୟ ଅପରାଧ ଘଟିଲା ତାକୁ ନେଇ ପୁଲିସ ଛାନ୍ଭିନ୍ ଆରମ୍ଭ କରିଛି। ସାଧାରଣରେ ଚର୍ଚ୍ଚା ହେଉଛି ଯେ ମନୋରମା ପିଉସୀମାଆଙ୍କ ସହିତ ଦୁଇ ପୁତୁରା ଝଗଡା କରିଥିଲେ। ଏକ ବଡ ଇଟାରେ ମନୋରମାଙ୍କ ମୁଣ୍ଡକୁ ଛେଛି ହତ୍ୟା କରାଯାଇଥିବା ଶୁଣିବାକୁ ମିଳିଛି। ଜମିବାଡି ବିବାଦକୁ ନେଇ ଏହି ଘଟଣା ଘଟିଥିବା ସାଧାରଣରେ ଆଲୋଚନା ହେଉଛି।