ଦଫା ହେରଫେର ଘଟଣାରେ ଅନୁଗୁଳ ଏସଆଇ ନିଲମ୍ବିତ

ଅନୁଗୁଳ,ଏନ୍ଏନ୍ଏସ୍: ଆଜି ଜଣେ ପୁଲିସ ଏସଆଇଙ୍କୁ ଅନୁଗୁଳ ଆରକ୍ଷୀ ଅଧୀକ୍ଷକ ନିଲମ୍ବିତ କରିଥିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗତ ୨୮ ତାରିଖ ଦିନ ଅନୁଗୁଳ ଆଦର୍ଶ ଥାନାର ଏସଆଇ ଅରକ୍ଷିତ ସେଠୀ ଜଣେ ଯୁବକ ବାପି ପ୍ରଧାନଙ୍କୁ ତାଙ୍କର ଅନୁଗୁଳ ସହରର ଲିଙ୍ଗରାଜଯୋଡ଼ିରୁ ଗିରଫ କରିଥିଲେ। ବାପି ପ୍ରଧାନଙ୍କଠାରୁ ବେଆଇନ୍ ୩ଟି ପିସ୍ତଲ, ୯ଟି ଗୁଳି ଓ ଗୋଟିଏ ଖାଲି ମାଗାଜିନ୍ ଜବତ ହୋଇଥିଲା। ପରେ ପୁଲିସ ଏସଆଇ ଅରକ୍ଷିତ ସେଠୀ ବାପିଙ୍କ ବିରୋଧରେ କୋହଳ ଦଫା ୨୫(୧) ବି ଲଗାଇଥିଲେ, ଫଳରେ ସେ ସହଜରେ ନ୍ୟାୟାଳୟରୁ ଜାମିନ୍ ପାଇଥିଲେ।
ଗତକାଲି ପୁଲସ ମହାନିର୍ଦ୍ଦେଶକ ଅଭୟଙ୍କ ଅନୁଗୁଳ ଗସ୍ତରେ ଏହି ଘଟଣା ସମ୍ପର୍କରେ ଜାଣିବାକୁ ପାଇ ଅସନ୍ତୋଷ ପ୍ରକାଶ କରିଥିଲେ। ପରେ ପୁଲିସ୍ ମହାନିର୍ଦ୍ଦେଶକଙ୍କ ନିର୍ଦେଶରେ ଆଜି ଅରକ୍ଷିତ ସେଠୀଙ୍କୁ ଅନୁଗୁଳ ଆରକ୍ଷୀ ଅଧୀକ୍ଷକ ଜଗମୋହନ ମୀନା ନିଲମ୍ବିତ କରିଛନ୍ତି।