କଟକ,ଏନ୍ଏନ୍ଏସ୍: ଧଳସାମନ୍ତ ବ୍ରଦର୍ସଙ୍କ ଘରେ ପୁଲିସ ଚଢ଼ଉ କରି ବିପୁଳ ପରିମାଣର ଗୁଳି ଓ ବନ୍ଧୁକ ଜବତ କରିଛି। ଡି ବ୍ରଦର୍ସ ଜେଲରେ ଥାଇ ମଧ୍ୟ ବନ୍ଧୁକ ଓ ଗୁଳି ବ୍ୟବସାୟ କରୁଥିବା ନେଇ ବିଶେଷ ସୂତ୍ରରୁ ସୂଚନା ପାଇବା ପରେ କମିସନରେଟ ପୁଲିସ ତାଙ୍କ ସିଡିଏ ଘରେ ଅତର୍କିତ ଚଢ଼ଉ କରିଥିଲେ। ଚଢ଼ଉ ବେଳେ ୫ ଶହ ରାଉଣ୍ଡ ଗୁଳି ଓ ୭ଟି ବନ୍ଧୁକ ଜବତ ହୋଇଛି। ଘରର ଇଣ୍ଟେରିଅର ଡିଜାଇନରେ ଗୋଟିଏ ସିଲ ବାକ୍ସ ଭିତରୁ ଏହି ଗୁଳି ଓ ବନ୍ଧୁକ ମିଳିଛି। ଏହି ଘଟଣାରେ ପୁଲିସ ୩ ଜଣଙ୍କୁ ଅଟକ ରଖିଛି। ତେବେ ପୁଲିସ ଘରଟିକୁ ନିଜ ଅକ୍ତିଆରରେ ନେଇଛି।
ଏହି ରେଡରେ କଟକ ଡିସିପି, ଜଣେ ଅତିରିକ୍ତ ଡିସିପି ଓ ପାଞ୍ଚ ଜଣ ଆଇଆଇସି ସାମିଲ ଥିଲେ। ତେବେ ଧଳସାମନ୍ତଙ୍କ ଘରୁ ଏତେ ପରିମାଣର ଗୁଳି ଓ ବନ୍ଧୁକ କେଉଁଠୁ ଆସିଲା ସେନେଇ ପୁଲିସ ଖୋଳତାଡ଼ ଆରମ୍ଭ କରିଛି। ଆବଶ୍ୟକ ପଡ଼ିଲେ ପୁଲିସ ଡି ବ୍ରଦର୍ସକୁ ଜେଲରୁ ରିମାଣ୍ଡରେ ଆଣି ପଚରାଉଚରା କରିପାରେ ବୋଲି ଜଣାପଡ଼ିଛି।