ଝାରସୁଗୁଡ଼ା,ଏନ୍ଏନ୍ଏସ୍: ବ୍ରଜରାଜନଗର ପୌରାଞ୍ଚଳରେ ଜଣେ ବ୍ୟକ୍ତି ଅସହାୟ ରୋଗୀଣା ଅବସ୍ଥାରେ ରାସ୍ତାକଡ଼ରେ ପଡ଼ି ରହିଥିବା ଖବର ପାଇ ବ୍ରଜରାଜନଗର ଥାନାଧିକାରୀ ବୈକୁଣ୍ଠ ସେଠ ତାଙ୍କର ଚିକିତ୍ସା ବ୍ୟବସ୍ଥା କରାଇଛନ୍ତି। ବ୍ୟକ୍ତି ଜଣକ ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଗ୍ରାମର ପ୍ରମୋଦ କୁମାର ଅଗ୍ରୱାଲ ବୋଲି ଜଣାପଡ଼ିଛି। ମିଳିଥିବା ରିପୋର୍ଟ ମୁତାବିକ, ପ୍ରମୋଦଙ୍କ ଗୋଡ଼ରେ ଏକ ବଡ଼ ଘା’ ହୋଇଥିବରୁ ସେ ଚଲାବୁଲା କରି ନପାରି ରାସ୍ତାକଡ଼ରେ ପଡ଼ି ରହିଥିଲେ। ଧୀରେଧୀରେ ତାଙ୍କ ଘା’ ବଢ଼ି ଚାଲିଥିବାବେଳେ କରୋନା ଭୟ ଏବଂ ଲକଡାଉନ ଯୋଗୁ ତାଙ୍କୁ କେହି ହସ୍ପିଟାଲ ନେଉନଥିଲେ। ଏବିଷୟରେ ଖବର ପାଇ ବ୍ରଜରାଜନଗର ଥାନାଧିକାରୀ ପ୍ରମୋଦକୁ ଉଦ୍ଧାର କରି ପ୍ରାଥମିକ ଚିକିତ୍ସା ପାଇଁ ମଣ୍ଡଲିଆ କେନ୍ଦ୍ରୀୟ ଡାକ୍ତରଖାନକୁ ପଠାଇଥିଲେ। ତେବେ ଉନ୍ନତ ଚିକିତ୍ସା ନିମନ୍ତେ ଡାକ୍ତରଙ୍କ ପରାମର୍ଶ ପରେ ସ୍ୱସ୍ତିକ କ୍ଲବ କର୍ମକର୍ତ୍ତାଙ୍କ ସହଯୋଗରେ ଶ୍ରୀ ସେଠ ଏକ ଆମ୍ବୁଲାନ୍ସ ଯୋଗେ ପ୍ରମୋଦଙ୍କୁ ବୁର୍ଲା ଡାକ୍ତରଖାନାକୁ ପଠାଇଛନ୍ତି। ପ୍ରମୋଦଙ୍କ କେହି ପରିଜନ ସାଙ୍ଗରେ ନଥିବାରୁ ତାଙ୍କୁ ବୁର୍ଲାରେ ଭର୍ତ୍ତି କରାଇବା ଲାଗି ଶ୍ରୀ ସେଠ ୨ଜଣ ପୁଲିସ କର୍ମଚାରୀଙ୍କୁ ସାଙ୍ଗରେ ପଠାଇଛନ୍ତି।