ମାଲକାନଗିରି, ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳର ଟିଙ୍ଗାଭରମ ଗ୍ରାମ ନିକଟସ୍ଥ ଜଙ୍ଗଲରେ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଆଜି ଗୁଳି ବିନିମୟ ଘଟିଛି। ସ୍ୱାଭିମାନ ଅଞ୍ଚଳରେ ଏସଓଜି ଓ ଡିଭିଏଫ ଜବାନଙ୍କ ମିଳିତ କୁମ୍ବିଂ ଅପରେସନ ଚାଲିଥିଲା। ତେବେ ଏହି ସମୟରେ ମାଓବାଦୀମାନେ ସେମାନଙ୍କ ଉପରକୁ ଗୁଳି ଚାଳନା କରିିଥିଲେ। ଏହାର ପ୍ରତି ଜବାବରେ ଏସଓଜି ଜବାନମାନେ ମଧ୍ୟ ପାଲଟା ଗୁଳି ଚାଳନା କରିଥିଲେ। ବହୁ ସମୟ ଧରି ଗୁଳି ଚାଳନା ପରେ ମାଓବାଦୀମାନେ ସେଠାରୁ ଖସି ପଳାଇବାରେ ସକ୍ଷମ ହୋଇଥିଲେ।
ଏହାପରେ ଘଟଣାସ୍ଥଳରେ ତଲାସୀ କରାଯାଉଥିବା ଜଣାପଡ଼ିଛି। ଗୁଳି ବନିିମୟ ପରେ ସମ୍ପୃକ୍ତ ଅଞ୍ଚଳରେ ଅପରେସନକୁ ଜୋରଦାର କରାଯାଇଥିବା ମାଲକାନଗିରି ଏସପି ରିଷିକେଶ ଡି ଖିଲାରୀ କହିଛନ୍ତି। ତେବେ ଜୁମଡାଙ୍ଗ ଅଞ୍ଚଳରେ ରାସ୍ତା କାର୍ଯ୍ୟରେ ନିୟୋଜିତ ୨ ଟି ଜେସିବି ଓ ଗୋଟିଏ ଟ୍ରାକ୍ଟରକୁ ମାଓବାଦୀମାନେ ପୋଡ଼ି ଦେଇଥିବା ଜଣାପଡ଼ିଥିବା ବେଳେ ଏ ସମ୍ପର୍କରେ ପୁଲିସ ପକ୍ଷରୁ କୌଣସି ସଠିକ ସୂଚନା ମିଳିପାରିନାହିଁ।