ପୁଲିସ-ମାଓ ଗୁଳି ବିନିମୟ : ଜଣେ ମାଓବାଦୀ ମୃତ

ମାଲକାନଗିରି,ଏନ୍ଏନ୍ଏନ୍: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ଦନ୍ତେୱାଡ଼ା ଜିଲ୍ଲାରେ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ଜଣେ ମାଓ ଏରିଆ କମାଣ୍ଡରର ମୃତ୍ୟୁ ଘଟିଛି। ଜିଲ୍ଲାର କଟେକଲ୍ୟାଣ ଥାନା ଅନ୍ତର୍ଗତ ଚିକପାଲ ଓ ମାରଜୁମ ଜଙ୍ଗଲରେ ମାଓବାଦୀମାନେ ଥିବା ଖବର ପାଇ ଡିଆରଜି ଯବାନମାନେ ତଲାସୀ ଅଭିଯାନରେ ବାହାରିଥିଲେ। ତେବେ ସୁରକ୍ଷାକର୍ମୀଙ୍କୁ ଦେଖି ମାଓବାଦୀମାନେ ଗୁଳି ଚାଳନା କରିଥିଲେ। ପରେ ଯବାନମାନେ ମଧ୍ୟ ପାଲଟା ଗୁଳି ଚାଳନା କରିଥିଲେ। ଜଙ୍ଗଲର ସୁବିଧା ନେଇ ସେଠାରୁ ମାଓବାଦୀମାନେ ଖସି ପଳାଇବାରେ ସକ୍ଷମ ହୋଇଥିଲେ। ଗୁଳି ବିନିମୟ ପରେ ଘଟଣାସ୍ଥଳରେ ତଲାସୀ ବେଳେ ସୁରକ୍ଷାକର୍ମୀଙ୍କୁ ଜଣେ ମାଓବାଦୀର ମୃତଦେହ ମିଳିଥିଲା। ଏହି ମୃତଦେହ ହାର୍ଡକୋର ମାଓ କମାଣ୍ଡର ହିଡ଼ମା ମୁଚାକିର ବୋଲି ଜଣାପଡ଼ିଛି। ପୁଲିସ ତା’ ନାମରେ ୫ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରିଥିଲା। ତେବେ ଘଟଣାସ୍ଥଳରୁ ପିସ୍ତଲ ଓ ବହୁ ମାଓ ସାମଗ୍ରୀ ଜବତ କରାଯାଇଥିବା ଜଣାପଡ଼ିଛି।