ଚାଲିଚାଲି ଛତିଶଗଡ଼ ଯାଉଥିବା ୪୪ ଶ୍ରମିକଙ୍କୁ ଥଇଥାନ କଲା ପୁଲିସ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଲକଡାଉନ ପରେ ଅନ୍ୟ ରାଜ୍ୟରୁ ଆସି କାମ କରୁଥିବା ଶ୍ରମିକମାନେ ଘରମୁହାଁ ହେଉଛନ୍ତି। କାମଧନ୍ଦା ବନ୍ଦ ହେବା ସହ ପାଖରେ ଖାଇବା ପାଇଁ ଅର୍ଥ ନଥିବାରୁ ଯାନବାହନ ଚଳାଚଳ ବନ୍ଦ ସତ୍ୱେ ଚାଲିଚାଲି ଘରକୁ ଯିବା ପାଇଁ ଉଦ୍ୟମ କରୁଛନ୍ତି। ଅନ୍ୟପଟେ କୋରନା ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ତଥା ରାଜ୍ୟ ସରକାର ଯିଏ ଯେଉଁଠି ଅଛନ୍ତି ସେଠି ରହିବାକୁ ପରାମର୍ଶ ଦେବା ସହ ସେମାନଙ୍କୁ ସରକାରଙ୍କ ପକ୍ଷରୁ ଖାଇବା ଯୋଗାଇ ଦିଆଯିବ ବୋଲି କହିଛନ୍ତି। ଏହି ପରିପ୍ରେକ୍ଷୀରେ ସମ୍ବଲପୁରସ୍ଥିତ ଶ୍ୟାମ ଡିଆରଆଇର ଠିକା ସଂସ୍ଥାରେ କାମ କରୁଥିବା ୪୪ଜଣ ଶ୍ରମିକ ସମ୍ବଲପୁରରୁ ଛତିଶଗଡ଼ ଚାପାଁକୁ ଚାଲି ଚାଲି ଯାଉଥିବା ସମୟରେ ଝାରସୁଗୁଡ଼ା ପୁଲିସ ସେମାନଙ୍କୁ ଅଟକ ରଖିବା ସହ ଥଇଥାନ କରିଛି। ଏହି ଶ୍ରମିକଙ୍କୁ ଖାଇବା ପିଇବା ଦେବା ସହ ସ୍ୱାସ୍ଥ୍ୟ ପରୀକ୍ଷା କରାଇ ସରବହାଲ ହାଇସ୍କୁଲରେ ରହିବା ପାଇଁ ସ୍ଥାନ ଦିଆଯାଇଛି। ଲକଡାଉନ ଅବଧି ଶେଷ ହେଲେ ସେମାନଙ୍କୁ ଘରକୁ ଯିବା ପାଇଁ ଅନୁମତି ମିଳିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।