ପୁଲିସ ମହାନିର୍ଦ୍ଦେଶକଙ୍କ ବଣ୍ଡାଘାଟି ଗସ୍ତ

ମାଲକାନଗିରି,ଏନ୍ଏନ୍ଏସ୍: ପୁଲିସ ମହାନିର୍ଦ୍ଦେଶକ ଅଭୟ ଆଜି ମାଲକାନଗିରି ଜିଲ୍ଲାର ମୁଦୁଲିପଡ଼ା ଓ ଅଣ୍ଡ୍ରାହଲ ପଞ୍ଚାୟତ ଗସ୍ତ କରି ଫେରିଛନ୍ତି। ସେ ପ୍ରଥମେ ମୁଦୁଲିପଡ଼ା ଓ ଅଣ୍ଡ୍ରାହଲ ବିଏସ୍ଏଫ୍ କ୍ୟାମ୍ପ ପରିଦର୍ଶନ କରି ଏହାର ଭିତ୍ତିଭୂମି ଓ ସୁରକ୍ଷା ବ୍ୟବସ୍ଥା ତଦାରଖ କରିଥିଲେ। ଏଥିସହ ଏକ ସମୀକ୍ଷା ବୈଠକରେ ଯୋଗଦେଇ ବରିଷ୍ଠ ପୁଲିସ ଅଧିକାରୀ ଓ ବିଏସଏଫର ଅଧିକାରୀଙ୍କ ସହ ମାଓବାଦୀଙ୍କ ସ୍ଥିତି ଉପରେ ସମୀକ୍ଷା କରିଥିଲେ। ଏଥିସହ ମାଓ ଦମନ ଓ ମାଓବାଦୀଙ୍କ ଗତିବିଧି ଉପରେ ଆଲୋଚନା କରି ସୁରକ୍ଷାକର୍ମୀଙ୍କ କାର୍ଯ୍ୟକୁ ପ୍ରଶଂସା କରିଥିଲେ। ପରେ ମୁଦୁଲିପଡ଼ା ବିଏସଏଫ କ୍ୟାମ୍ପ ପରିସରରେ ବଣ୍ଡା ରମଣୀମାନେ ବାଦ୍ୟନୃତ୍ୟର ତାଳେ ତାଳେ ପୁଲିସ ମହାନିର୍ଦ୍ଦେଶକଙ୍କୁ ପାଛୋଟି ନେଇଥିଲେ।

ଏହାପରେ ଅଣ୍ଡାହଲ ପଞ୍ଚାୟତର କାଟାଙ୍ଗଗୁଡ଼ା ଗ୍ରାମ ଗସ୍ତ କରି ସରକାର ସମ୍ପୃକ୍ତ ଅଞ୍ଚଳର ବିକାଶ ନିମନ୍ତେ ବହୁ ଉନ୍ନୟନମୂଳକ କାର୍ଯ୍ୟ କରୁଥିବା ବେଳେ ଏଥିରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ଏ ଅବସରରେ ମୁଦୁଲିପଡ଼ା ଓ କାଟାଙ୍ଗଗୁଡ଼ା ଗ୍ରାମରେ ବଣ୍ଡା ମହିଳାଙ୍କୁ ଶାଢ଼ି ଓ କମ୍ବଳ ପ୍ରଦାନ କରିବା ସହ ପୁରୁଷଙ୍କୁ କ୍ରୀଡ଼ା ସାମଗ୍ରୀ ବଣ୍ଟନ କରାଯାଇଥିଲା। ମାଓବାଦୀଙ୍କ ସ୍ଥିତି ଦେଖି ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଥାଏ। ମାଓବାଦୀଙ୍କ ଗତିବିଧିକୁ ଅନୁଧ୍ୟାନ କରି ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା କରାଯାଇଥାଏ। ମାଲକାନଗିରି ଜିଲ୍ଲା ତଥା ବିଶେଷ କରି ସ୍ୱାଭିମାନ ଅଞ୍ଚଳରେ ଉନ୍ନୟନମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ସରକାର ପ୍ରତିଶ୍ରୁତିବଦ୍ଧ।

ବିକାଶମୂଳକ କାର୍ଯ୍ୟରେ ମାଓବାଦୀମାନେ କିଭଳି ବାଧା ସୃଷ୍ଟିି ନକରିବେ, ସେଥିପାଇଁ ପୁଲିସ ଓ ବିଏସଏଫ ମୁତୟନ ହୋଇଛନ୍ତି। ଏହି ଅଞ୍ଚଳରେ ପୁଲିସ ଓ ବିଏସଏଫର କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସରକାରଙ୍କ ଉତ୍ତମ ଆତ୍ମ ସମର୍ପଣ ଓ ଥଇଥାନ ନିତି କରିଛନ୍ତି। ମାଓବାଦୀମାନେ ଆତ୍ମ ସମର୍ପଣ ମୁଖ୍ୟ ସ୍ରୋତରେ ସାମିଲ ହେବା ସହ ସେମାନଙ୍କର କିଛି ଯଦି ଅଭିଯୋଗ ଅଛି, ତେବେ ଗଣତାନ୍ତ୍ରିକ ପଦ୍ଧତିରେ ଦାବି ଉପସ୍ଥାପନ କରିବାକୁ ମହାନିର୍ଦ୍ଦେଶକ ଅଭୟ ଆହ୍ୱାନ ଦେଇଛନ୍ତି। ଏଥିରେ ଗୁଇନ୍ଦା ବିଭାଗର ନିର୍ଦ୍ଦେଶକ ଆରକେ ଶର୍ମା, ଆଇଜି(ଅପରେସନ) ଅମିତାଭ ଠାକୁର, ସ୍ୱତନ୍ତ୍ର ଗୁଇନ୍ଦା ବିଭାଗର ଡିଆଇଜି ଅନିରୁଦ୍ଧ ସିଂ, ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ରାଜେଶ ପଣ୍ଡିତ, ଆରକ୍ଷୀ ଅଧୀକ୍ଷକ ରିଷିକେଶ ଡି ଖିଲାରୀ, ବରିଷ୍ଠ ପୋଲିସ ଅଧିକାରୀ ଓ ବିଏସଏଫର ଅଧିକାରୀ ଉପସ୍ଥିତ ଥିଲେ।